ଝାରସୁଗୁଡ଼ାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଚାର କରିଛନ୍ତି।
ଝାରସୁଗୁଡା ଅମିଳିପାଲିଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ପ୍ରଣାମ । ଏ ମାଟିକୁ ମୋର ପ୍ରଣାମ ।ଏଥିସହ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି । ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ବାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ। ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ବାସ କରନ୍ତି । ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳ ମା’ ମାନଙ୍କ କଲ୍ୟାଣରେ ବିଶ୍ବାସ କରେ । ମା’ ମାନଙ୍କ ବିକାଶରେ ବିଶ୍ବାସ କରେ । ଚାଷୀ ଭାଇ ଓ ଯୁବଶକ୍ତିର ବିକାଶ ରେ ବିଶ୍ବାସ କରେ । ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ। ନିର୍ବାଚନରେ ହାର ଜିତ୍ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା’ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ । ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି । ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।




admin 