ଡେଙ୍ଗୁ: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର

ଡେଙ୍ଗୁ: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ସହିତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ଡେଙ୍ଗୁ ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଆଜି ଠାରୁ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର। ଏଠାକୁ ଦୈନିକ ପ୍ରାୟ ୫୦୦ ଲୋକ ଡେଙ୍ଗୁ ଟେଷ୍ଟ କରାଇବା ପାଇଁ ଆସୁଛନ୍ତି। ଏହି ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି।
ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡ୍‌ମିଶନ୍‌ ହେଉଛନ୍ତି। ଏବେ ବେଡ୍‌ରେ ୬୨ ଜଣ ରୋଗୀ ଅଛନ୍ତି। ସ୍ଵତନ୍ତ୍ର ବେଡ୍‌ ନଥିବାରୁ ଫୋଲ୍ଡିଂ ଖଟ କିଣାଯାଇ ତଥା ବନ୍ଦ ଥିବା କ୍ୟାଥୋଲ୍ୟାବ ରୁମକୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଛି ।ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଏହି ସିଏଚସି ଗୁଡ଼ିକରେ ୧୦ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ।