ଏଭରେଷ୍ଟ ଚଢ଼ୁଥିବାବେଳେ ଚାଲିଗଲା ଭାରତୀୟ ମହିଳାଙ୍କ ଜୀବନ
କାଠମାଣ୍ଡୁ: ‘ପେସ୍ମେକର୍’ ଲାଗି ଥିବା ଏସିଆର ପ୍ରଥମ ଏଭରେଷ୍ଟ୍ ଶୃଙ୍ଗ ଆରୋହିଣୀ ଭାବେ ନୂଆ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ବାହାରିଥିବା ଜଣେ ଭାରତୀୟ ମହିଳା ବେସ୍ କ୍ୟାମ୍ପ୍ରେ ଅସୁସ୍ଥ ହୋଇ ଗୁରୁବାର ଦିନ ମୃତ୍ୟୁବରଣ କରିଥିବା କଥା ନେପାଳର ପର୍ଯ୍ୟଟନ ବିଭାଗ କହିଛି। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଯୁବରାଜ ଖତିୱାଡ଼ା କହିଛନ୍ତି, ଏଭରେଷ୍ଟ୍ ଶୃଙ୍ଗ ବେସ୍ କ୍ୟାମ୍ପ୍ରେ ଆରୋହଣ ଅଭ୍ୟାସ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ଭାରତୀୟ ମହିଳା ସୁଜାନ୍ ଲିଓପୋଲାଣ୍ଡିଆ ଜେଜସ୍ଙ୍କୁ ସୋଲୁଖୁମ୍ବୁ ଜିଲ୍ଲା ଅନ୍ତର୍ଗତ ଲୁକ୍ଲା ନଗରୀସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ବେସ୍ କ୍ୟାମ୍ପ୍ରେ ଅରୋହଣ ଅଭ୍ୟାସ ସମୟରେ ସ୍ବାଭାବିକ ବେଗ ବଜାୟ ରଖିବାରେ ବିଫଳ ହେବାରୁ ଏବଂ ଆରୋହଣ ସମୟରେ କଷ୍ଟ ଅନୁଭବ କରୁଥିବା ଜଣାପଡ଼ିବା ପରେ ‘ପେସ୍ମେକର୍’ ଲାଗିଥିବା ସୁଜାନିଙ୍କୁ ଏଭରେଷ୍ଟ୍ ଶୃଙ୍ଗ ଆରୋହଣ ଉଦ୍ୟମ ପରିତ୍ୟାଗ କରିବାକୁ କୁହାଯାଇଥିଲା। କିନ୍ତୁ, ସୁଜାନି ଦାମ୍ଭିକତାର ସହିତ ଉକ୍ତ ପରାମର୍ଶକୁ ଅଗ୍ରାହ୍ୟ କରି କହିଥିଲେ ଯେ, ପର୍ବତାରୋହଣ ନିମନ୍ତେ ଅନୁମତି ପାଇବା ପାଇଁ ଦୈୟ ପୈଠ କରିସାରିଥିବାରୁ ସେ ୮,୮୪୮.୮୬ ମିଟର୍ ଉଚ୍ଚ ଏଭରେଷ୍ଟ୍ ଶୃଙ୍ଗ ନିଶ୍ଚୟ ଆରୋହଣ କରିବେ।
ଏଭରେଷ୍ଟ୍ ଶୃଙ୍ଗର ବେସ୍ କ୍ୟାମ୍ପ୍ର ଅଳ୍ପ ଉଚ୍ଚକୁ ଅର୍ଥାତ୍ ୫,୮୦୦ ମିଟର୍ ଉଚ୍ଚକୁ ଚଢ଼ିଥିବା ସୁଜାନିଙ୍କୁ ବୁଧବାର ସନ୍ଧ୍ୟା ବେଳେ ଜବରଦସ୍ତି ହେଲିକପ୍ଟର୍ ଯୋଗେ ଲୁକ୍ଲା ନଗରୀକୁ ନିଆଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ‘ଗ୍ଲେସିୟର୍ ହିମାଲୟାନ୍ ଟ୍ରେକ୍’ର ଅଧ୍ୟକ୍ଷ ଦେନ୍ଦି ଶେର୍ପା କହିଛନ୍ତି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।




admin 