ନିଶାମୁକ୍ତ ହେବ ରାଜଧାନୀର ଶିକ୍ଷାନୁଷ୍ଠାନ : ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌

ନିଶାମୁକ୍ତ ହେବ ରାଜଧାନୀର ଶିକ୍ଷାନୁଷ୍ଠାନ : ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର: ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ କରାଯିବ। ନିଶା ମୂଳପୋଛ ପାଇଁ ନା କ୍ୟାମ୍ପସ ଭିତରେ ନା ଆଖପାଖ ଅଞ୍ଚଳରେ ବିକ୍ରି ହେବ ନିଶାଦ୍ରବ୍ୟ। ସେହିପରି କ୍ୟାମ୍ପସରେ ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଦିନକୁ ଦିନ ରାଜଧାନୀରେ ନିଶାଦ୍ରବ୍ୟ ଓ ଅପରାଧିକ କାରବାର ବଢ଼ୁଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି କଠୋର ପଦେକ୍ଷପ ନେବାକୁ ଯୋଜନା କରାଯାଇଛି। 

କ୍ୟାମ୍ପସରୁ ନିଶାଦ୍ରବ୍ୟକୁ ବାରଣ କରାଯାଇଛି। ଏହା ଉପରେ ନଜର ରଖିବା ପାଇଁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ, ପୁଲିସ, ଏସ୍‌ଏସ୍‌ଇପିଡି, ଉଚ୍ଚଶିକ୍ଷା ବିଭାଗ କର୍ତୃପକ୍ଷଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସ୍ଥାନୀୟ ପୁଲିସ ଓ ସମ୍ପୃକ୍ତ ଶିକ୍ଷାନୁଷ୍ଠନ କର୍ତୃପକ୍ଷ ରୀତିମତ କ୍ୟାମ୍ପସ, ହଷ୍ଟେଲ୍‌ ଓ ମେସ୍‌କୁ ଯାଞ୍ଚ କରିବେ। ଯଦି କେହି ଶିକ୍ଷାନୁଷ୍ଠାନ ଭିତରେ କିମ୍ବା ଆଖପାଖ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ପ୍ରତି ଶିକ୍ଷାନୁଷ୍ଠାନରେ ଦିସା ସ୍କିମ୍‌ରେ ‘ଦିସା କ୍ଲବ’ ଖୋଲାଯିବ।

ସେଠାରେ ଛାତ୍ରଛାତ୍ରୀଙ୍କୁ ଦାୟିତ୍ବ ଦିଆଯାଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପାଣ୍ଠିର ବନ୍ଦୋବସ୍ତ କରାଯିବ। ସମୟ ବ୍ୟବଧାନରେ ସ୍ଥାନୀୟ ପୁଲିସ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ବିଶେଷଜ୍ଞଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟ ସେବନ କରିବାର ଦେଖାଯାଏ ସେମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ବାରା କାଉନ୍‌ସେଲିଂ କରାଯାଇ ପରାମର୍ଶ ଦିଆଯିବ।

ସେମାନଙ୍କ ଅଭିଭାବକଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ଏହା ସତ୍ତ୍ବେ ସେମାନେ ନ ଚେତିଲେ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଯିବ। ତେଣୁ ରାଜଧାନୀରେ ୬ଟି ନିଶାନିବାରଣ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।