ରାଜସ୍ଥାନରେ ବାତ୍ୟା ବିପର୍ୟ୍ୟୟର ତାଣ୍ଡବ
ନୂଆଦିଲ୍ଲୀ: ଗୁଜରାଟ ପରେ ଏବେ ରାଜସ୍ଥାନରେ ତାଣ୍ଡବ ରଚୁଛି ବାତ୍ୟା ବିପର୍ୟ୍ୟୟ । ରାଜସ୍ଥାନରେ ବିପର୍ୟ୍ୟୟ ପ୍ରଭାବରେ ଭୀଷଣ ବର୍ଷା ହେଉଛି । ପାଣିପାଗ ବିଭାଗ ପକ୍ଷରୁ ବାଡମେର, ଜାଲୋର, ସିରୋହି ଜିଲ୍ଲା ପାଇଁ ରେଡ ଅଲର୍ଟ ଜାରି କରାଯାଇଛି । ସେହିପରି ପାଲି ଓ ଯୋଧପୁର ଜିଲ୍ଲା ପାଇଁ ଅରେଞ୍ଜ ଅଲର୍ଟ ଜାରି କରାଯାଇଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଣ୍ଟା ଧରି ଭୀଷଣ ବର୍ଷା ଓ ତୀବ୍ର ଗତିରେ ପବନ ବହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ରାଜସ୍ଥାନର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ତୋଫାନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ପଡିବା ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ୫ଶହରୁ ଅଧିକ ଗାଁ ଅନ୍ଧାରରେ ରହିଛି । ବିଜୁଳି ନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ପ୍ରାୟ ୫ଶହ ଗାଁକୁ ପ୍ରଶାସନ ପକ୍ଷରୁ ବ୍ଲାକ ଆଉଟ ଘୋଷଣା କରାଯାଇଛି । ସେପଟେ ପାକିସ୍ତାନ ସୀମାବର୍ତି ଅଂଚଳର ଗାଁ ଗୁଡିକରେ ଥିବା କଚ୍ଚା ଘର ଭାଙ୍ଗି ମାଟିରେ ମିଶିଥିବା ସୂଚନା ମିଳିଛି । ଯୁଦ୍ଧ କାଳୀନ ଭିତିରେ ଏନଡିଆରଏଫ , ଏସଡିଆରଏଫ ଟିମ ଉଦ୍ଧାର କାମରେ ଲାଗିଥିଲେ ମଧ୍ୟ ମୁଶଳ ଧାରାରେ ବର୍ଷା ଓ ପବନର ବେଗ ଉଦ୍ଧାର କାର୍ୟ୍ୟରେ ବାଧକ ସାଜିଛି । ଅନ୍ୟପଟେ ଝଡତୋଫାନକୁ ଆଖିରେ ରଖି ୧୩ଟି ଟ୍ରେନକୁ ବାତିଲ କରି ଦିଆଯାଇଛି ।




admin 