ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
୧୨ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଅଛନ୍ତି ୩୦ଲକ୍ଷ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ପରିବାର
- ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାମାନେ ୫୦ ହଜାର କୋଟିରୁ ଊଦ୍ଧ୍ୱର୍ ଚିଟ୍ଫଣ୍ଡ୍ ମହାଦୁର୍ନୀତିର ବ୍ରାଣ୍ଡ୍ ଆମ୍ବାସାଡର
-କଂଗ୍ରେସ କ୍ଷମତାକୁ ଆସିଲେ ଟଙ୍କା ଫେରିପାଇବେ ଚିଟ୍ଫଣ୍ଡ୍ ଜମାକାରୀ
-ବିଜେଡି ଏବେ ବିଜୁ ଯୋଗାଡ଼ ଦଳ : ବିଶ୍ୱରଞ୍ଜନ
ଚିଟ୍ଫଣ୍ଡ ମହାଦୁର୍ନୀତିକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ମଳ ଭାବମୂର୍ତିର ଏକ ମୁଖା ପିନ୍ଧି ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଟ୍ଫଣ୍ଡ୍ କାରବାରରେ ରାଜ୍ୟରେ ୫୦ ହଜାର କୋଟିର ମହାଦୁର୍ନୀତି ହୋଇଥିବାବେଳେ ୨୦ ଲକ୍ଷ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ୧୨ବର୍ଷ ହେଲା ଏହି ୨୦ଲକ୍ଷ ମଧ୍ୟବିତ ଶ୍ରେଣୀର ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେବା ବଦଳରେ ପ୍ରତାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ନେତାମାନେ ଏହି ଚିଟ୍ଫଣ୍ଡ୍ କମ୍ପାନିଗୁଡ଼ିକର ବ୍ରାଣ୍ଡ୍ ଆମ୍ବାସାଡର ସାଜିଥିଲେ । ବିଜେଡି ନେତାମାନଙ୍କ ସହଯୋଗରେ ଏହି ଚିଟ୍ଫଣ୍ଡ୍ କମ୍ପାନିଗୁଡିକ ସାଧାରଣ ଲୋକଙ୍କ ବିଶ୍ୱାସ ଜିତି ସେମାନଙ୍କ ସଂଚିତ ଅର୍ଥକୁ ନେଇ ଛୁ ମାରିଲେ । ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହିନାହିଁ, ଏହା ବିଜୁ ଯୋଗାଡ଼ ଦଳ ପାଲିଟିଛି । କାରଣ ଏହି ଦଳ ଏବେ ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ କଂଗ୍ରେସରୁ ନେତା ଯୋଗାଡ଼ କରି ଚାଲିଛି । ୧୨୮ ବିଧାନ ସଭା ଆସନରେ ଜିତିବେ ବୋଲି ବିଜେଡି ନେତାମାନେ ଯେଉଁ ଦମ୍ଭର ସହ କହୁଥିଲେ, ତାହା କେବେ ସମ୍ଭବ ନୁହେଁ ବୋଲି ସେମାନେ ଜାଣିସାରିଲେଣି । କାରଣ ବିଜେଡି ନେତାମାନଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରୁଛନ୍ତି । ତେଣୁ କଂଗ୍ରେସରୁ ପ୍ରାର୍ଥୀ ନେଇ ବିଜେଡି ନିର୍ବାଚନ ଲଢ଼ିବାକୁ ଲକ୍ଷ୍ୟ ରଖିଛି ବୋଲି ଡ. ମହାନ୍ତି କହିଛନ୍ତି ।
ସେ ଆହୁରି ମଧ୍ୟ କହିଲେ ଯେ ଯେତେବେଳେ ଚିଟ୍ଫଣ୍ଡ କମ୍ପାନିମାନେ ଓଡ଼ିଶାକୁ ଆସିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ନେତାମାନେ ଏହି କମ୍ପାନିଗୁଡିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ । ଏଭଳି ଭାବେ ଜନସାଧାରଣଙ୍କ ବିଶ୍ୱାସ ଜନ୍ମାଇ ଏହି କମ୍ପାନିଗୁଡିକ କୋଟି କୋଟି ଟଙ୍କା ଲୁଟି ନେଲେ । ଚିଟ୍ଫଣ୍ଡ ମହାଦୁର୍ନୀତି ଅର୍ଥରେ ବିଜେଡି ୨୦୧୪ ନିର୍ବାଚନ ଲଢ଼ିଥିଲା । ସେତେବେଳେ କଂଗ୍ରେସ ବିଧାନ ସଭାରେ ମୋସନ ନୋଟିସ୍ ଆଣିଥିଲା । କିନ୍ତୁ ଏ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଦିଆଗଲା ନାହିଁ । ୫୦୦ଟି ଚିଟ୍ଫଣ୍ଡ୍ କମ୍ପାନିର କୌଣସି ଠୋସ୍ ଠିକଣା ନଥିଲା । ୨୦୧୪ ମାର୍ଚ୍ଚ ୨୬ରେ ଏନେଇ ସୁପ୍ରିମକୋର୍ଟରେ ପିଆଇଏଲ ଫାଇଲ ହେଲା । ସେହିବର୍ଷ ନଭେମ୍ବର ୨୨ରେ ସୁପ୍ରିମକୋର୍ଟ ଚିଟ୍ଫଣ୍ଡ୍ ର୍ଦୁନୀତିର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ । ସିବିଆଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ଗଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାର୍ଯ୍ୟରତ କର୍ମଚାରୀ ସରୋଜକୁ ଜେରା କରାଗଲା । କିନ୍ତୁ ପରେ ହଠାତ୍ ତଦନ୍ତ ଶିଥିଳ ହୋଇଗଲା । ଉଭୟ ବିଜେପି ଓ ବିଜେଡି ସଲାସୁତରା ହୋଇ ତଦନ୍ତକୁ ଚାପିଦେଲେ । ସେତେବେଳେ ଶୁଭଙ୍କର ଡାଇରୀରୁ ମିଳିଥିବା ତଥ୍ୟ ଅନୁସାରେ ସିବିଆଇ ଚାର୍ଜସିଟ୍ରେ ଦର୍ଶାଇଲା ଯେ ଚିଟ୍ଫଣ୍ଡ୍ ଦୁର୍ନୀତିରେ ପ୍ରଶାନ୍ତ ଦାସ ଓ ଶୁଭଙ୍କର ସମେତ ବହୁ ପ୍ରଶାସକ, ରାଜନେତା ଓ ବରିଷ୍ଠ ପୁଲିସ ଅଧିକାରୀ ସମ୍ପୃକ୍ତ । ମାତ୍ର ସେମାନେ କିଏ ତାହା ଜଣାପଡ଼ିଲା ନାହିଁ । ଚିଟ୍ଫଣ୍ଡ୍ ଦୁର୍ନୀତିର ତଦନ୍ତ ପାଇଁ ପାତ୍ର କମିଶନ, ଏମଏମ ଦାଶ କମିଶନ ଆଦି ବସିଲା । ଏଥିପାଇଁ ୭କୋଟି ଟଙ୍କା ଖର୍ଚ୍ଚ ହେଲା । ମାତ୍ର ତଦନ୍ତ ହୋଇପାରିଲା ନାହିଁ । ସେହିପରି ୨୦୧୬ରେ ୧୦ହଜାର ଟଙ୍କାରୁ କମ୍ ଅର୍ଥ ଜମା କରିଥିବା ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ୩୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି କରାଗଲା । ଜମାକାରୀଙ୍କୁ ତ ଟଙ୍କା ମିଳିଲା ନାହିଁ, ସେହି ୩୦୦ କୋଟି ଟଙ୍କା କୁଆଡେ ଗଲା ମଧ୍ୟ ଜଣାପଡ଼ିଲା ନାହିଁ । ୨୦୧୪ରେ ବିଜେଡି ତା’ର ନିର୍ବାଚନୀ ଇସ୍ତାହାରରେ ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ତାହା କୁଆଡେ ଗଲା ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିପରି ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବିଜେଡି ନେତାମାନଙ୍କ ଟିକଟ କାଟି ଦଳ ସେମାନଙ୍କ ପିଲାମାନଙ୍କୁ ନିର୍ବାଚନରେ ପ୍ରାର୍ଥୀ କଲା ଓ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟିଲା । ଏହା କି ପ୍ରକାର ନ୍ୟାୟ ବା କାର୍ଯ୍ୟାନୁଷ୍ଠାନ ବୋଲି ଡ. ମହାନ୍ତି କହିଛନ୍ତି । ତେବେ ଚଳିତ ନିର୍ବାଚନରେ କଂଗ୍ରେସ ସରକାରକୁ ଆସିଲେ ୬ମାସ ମଧ୍ୟରେ ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ଡ ମହାନ୍ତି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, କୃଷ୍ଣଚନ୍ଦ୍ର ପତି, ମନିଷା ଦାସ ପଟ୍ଟନାୟକ, ସୋନାଲି ସାହୁ ଉପସ୍ଥିତ ଥିଲେ ।




