ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେବ ନୂଆ ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତା

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେବ ନୂଆ ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତା ନବୀକରଣ ହେବ। ଯେଉଁ ରାସ୍ତା କାମ ଚାଲିଛି, ତାହା ବି ତୁରନ୍ତ ଶେଷ କରାଯିବ। ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୩୪୦୦ କିମି ରାସ୍ତା ନିର୍ମାଣ ହେବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ମୋଟ୍‌ ୧୫ଟି ପ୍ରସ୍ତାବ ପାରିତ ହୋଇଛି। ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ‘ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ‌ଯୋଜନା’ ପ୍ରଣୟନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା, ଦୁର୍ଗମ ପାର୍ବତ୍ୟ ଅଞ୍ଚଳ ଓ ମାଓବାଦୀ ପ୍ରଭାବିତ ଜିଲ୍ଲାରେ ଥିବା ଅପହଞ୍ଚ ଓ ଅସଂଯୋଜିତ ଗାଁ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଥିବା ଅସଂଯୋଜିତ ଦ୍ବୀପଗୁଡ଼ିକୁ ନିକଟବର୍ତ୍ତୀ ମୁଖ୍ୟ ସଡ଼କ ସହିତ ସବୁଦିନିଆ ସଡ଼କ ଦ୍ବାରା ସଂଯୋଗୀକରଣ କରିବା। ସଂପୃକ୍ତ ଅଞ୍ଚଳରେ ଥିବା ପଞ୍ଚାୟତ କାର୍ୟ୍ୟାଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ମୁଖ୍ୟ ବଜାର, ପର୍ୟ୍ୟଟନସ୍ଥଳ, ବ୍ୟବସାୟକ କେନ୍ଦ୍ର ଇତ୍ୟାଦିକୁ ସଂଯୋଗୀକରଣ ନିମନ୍ତେ ଉନ୍ନତମାନର ରାସ୍ତା ନିର୍ମାଣ ହେବ। ଏହି ଯୋଜନାରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ୍ ୯୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥରେ ୩୬୧.୩୪ କିମି ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ନିର୍ମାଣ କାର୍ୟ୍ୟ ଶେଷ ହେବ। ସେହିପରି ପଞ୍ଚାୟତିରାଜ ଓ ଅନ୍ୟ ସରକାରୀ ବିଭାଗଗୁଡ଼ିକରୁ ହସ୍ତାନ୍ତରିତ ହୋଇଥିବା ରାସ୍ତା ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ‘ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତୀକରଣ ଯୋଜନା’ ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଦୁଇ ବର୍ଷରେ ୧୮୧୪.୯୨ କିମି ନୂଆ ରାସ୍ତା ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପର କାର୍ୟ୍ୟ ‌ଶେଷ ହେବ। ଏଥି ପାଇଁ ୧୮୯୩ କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।
ଗ୍ରାମାଞ୍ଚଳରେ ବର୍ଦ୍ଧିତ ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାର ପୂରଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ରାସ୍ତାଗୁଡ଼ିକର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ‘ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାଗୁଡ଼ିକର ଉନ୍ନତୀକରଣ’ ଯୋଜନା ପ୍ରଣୟନ କରିଛନ୍ତି। ଏହା ଦ୍ବାରା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ସବୁଦିନିଆ ସଡ଼କ ସୁବିଧା ମିଳିବ। ଏହି ଯୋଜନାରେ ଦୁଇ ବର୍ଷରେ ଖର୍ଚ୍ଚ ହେବ ୯୧୮ କୋଟି ଟଙ୍କା। ଏଥିରେ ୫୫୪.୬୭ କିମି ନୂଆ ରାସ୍ତା ଓ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ‘ଆନ୍ତଃରାଜ୍ୟ ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ୍‌ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ’ ଯୋଜନା ପ୍ରଣୟନ କରାଯାଇଛି। ଏହା ଦ୍ବାରା ଆନ୍ତଃରାଜ୍ୟ, ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ୍‌ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହିତ ସଂଯୋଗୀକରଣ କରାଯାଇ ଅସଂଯୋଜିତ ଦ୍ବୀପ ତଥା ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗର ବ୍ୟବସ୍ଥା କରାଯିବ। ଫଳରେ ବିଭିନ୍ନ ବ୍ଲକ୍‌, ଜିଲ୍ଲା ଓ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ। ଏ ବାବଦକୁ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧୧୬୦ କୋଟି ଟଙ୍କା। ଏଥିରେ ୬୭୩.୪୯ କିମି ନୂଆ ରାସ୍ତା ତଥା ସେତୁ ନିର୍ମାଣ ସହ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି।