ମନ୍ତୁରା ପାଣି ପିଆଇ ୬୨ ଲକ୍ଷ ଟଙ୍କା ଲୁଟ, ଭଣ୍ଡ ତାନ୍ତ୍ରିକ ନାଁରେ ଆଉ ଏକ ମାମଲା
କଟକ: ଗତକାଲି କଟକରୁ ଗିରଫ ହୋଇଥିବା ମୌଲାନା କୈଫି ଖାଁ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି। ସୂଚନଯୋଗ୍ୟ, ଗ୍ୟାଙ୍ଗଷ୍ଟର୍ ସକିଲର ସହଯୋଗୀ ମୌଲାନା କୈଫି ଖାଁ ନିଜକୁ ତାନ୍ତ୍ରିକ ପରିଚୟ ଦେଇ ଏମ୍ବିଏ ପଢ଼ିଥିବା ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ଲୁଟିଛି। ମହିଳାଙ୍କୁ ମନ୍ତୁରା ପାଣି ପିଆଇ ୬୨ ଲକ୍ଷ ଟଙ୍କା ଲୁଟି ନେବାଭଳି ଚାଞ୍ଚଲ୍ୟକର ଘଟଣା କଟକ ସହରରେ ଘଟିଛି। ଏହି ଘଟଣାରେ ମଙ୍ଗଳାବାଗ ଥାନା ପୁଲିସ ଅଭିଯୁକ୍ତ ତାନ୍ତ୍ରିକ ମୌଲାନା କୈଫି ଖାଁ(୨୭)କୁ ଗିରଫ କରିଛି। ସେ ମଙ୍ଗଳାବାଗ କେଶରପୁର ଅଞ୍ଚଳର। ତେବେ ଏହି ଠକ ନିକଟରୁ ପୁଲିସ ୫୫ ଲକ୍ଷ ୭୬ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି।
ସୂଚନା ଅନୁଯାୟୀ, ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ତାଙ୍କ ପୁରୁଣା କୋଠାରେ ୨୦୨୨ ସେପ୍ଟେମ୍ବରରୁ ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରିଥିଲେ। ପରିବାର ସଦସ୍ୟ ଶାନ୍ତିରେ ଶୋଇ ପାରିନଥିଲେ। ଏଭଳି କାଣ୍ଡକୁ ଏଡ଼ାଇବା ପାଇଁ ଘର ଭିତରେ ବିଭିନ୍ନ ପୂଜାପାଠ କରିଥିଲେ। ୨୦୨୦ରୁ ଘରର ଗାଡ଼ି ଚଳାଉଥିବା ସେକ୍ ଆସପାକ୍ ବି ଏକଥା ଅନୁଭବ କରିଥିଲେ। ୨୦୨୨ ଅଗଷ୍ଟ ଶେଷ ସପ୍ତାହରେ ଆସପାକ୍ କୌଣସି କାରଣରୁ ଦିନେ ଅନୁପସ୍ଥିତ ଥିଲେ। ସେଦିନ ଗାଡ଼ି ଚଳାଇବା ପାଇଁ ସେକ୍ ଇସରାଏଲକୁ ପଠାଇଥିଲେ। ଘର ଭିତରେ ଏଭଳି ନକାରାତ୍ମକ ଶକ୍ତିର ପ୍ରଭାବ ସମ୍ପର୍କରେ ଇସରାଏଲ୍ ଜାଣିବା ପରେ ଜଣେ ତାନ୍ତ୍ରିକର ପରାମର୍ଶ ନେବାକୁ କହିଥିଲେ। ବକ୍ସିବଜାର କେଶରପୁର ଅଞ୍ଚଳର ତାନ୍ତ୍ରିକ କୈଫି ଖାଁଙ୍କୁ ମହିଳା ଯୋଗାଯୋଗ କରିଥିଲେ। ଏହାପରେ ତାନ୍ତ୍ରିକ ତାଙ୍କ ଘରକୁ ଆସିଥିଲା। ଘର ସାରା ବୁଲିବା ପରେ ଘରେ ଏକ ସ୍ପିରିଟ୍ ଥିବାରୁ ଏଭଳି ଘଟୁଥିବା କହିଥିଲା। ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଥିବା ତାନ୍ତ୍ରିକ କହିଥିଲା। ଏହାକୁ କାଢ଼ିବାକୁ ପରାମର୍ଶ ଦେଇଥିଲା। ଏହାକୁ ନକାଢ଼ିଲେ ପରିବାରରେ କୌଣସି ସଦସ୍ୟଙ୍କ ଜୀବନ ଯିବାର ଆଶଙ୍କା ଥିବା କହିଥିଲା।
ଏଭଳି ଶକ୍ତିକୁ ଘରୁ କାଢ଼ିବାକୁ ତାନ୍ତ୍ରିକ ୧୫ ଲକ୍ଷ ଟଙ୍କା ଦାବି କରିଥିଲା। ଏଭଳି କହିବା ପରେ ମହିଳା ଜଣକ ସେହି ବର୍ଷ ସେପ୍ଟେମ୍ବର ମାସରେ ନିଜ କାନାଡ଼ା ବ୍ୟାଙ୍କ୍ ଆକାଉଣ୍ଟରୁ ତାନ୍ତ୍ରିକର ଏସବିଆଇ ବ୍ୟାଙ୍କ ଶାଖାକୁ ଟଙ୍କା ପଠାଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ମହିଳା ଜଣକ ତାନ୍ତ୍ରିକର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ୬୨ ଲକ୍ଷ ଟଙ୍କା ପଠାଇଥିଲେ। ଏମିତିକି ମହିଳା ଜଣକ ନିଜ ସୁନା ବନ୍ଧକ ରଖି ଟଙ୍କା ଆଣି ତାନ୍ତ୍ରିକ ନିକଟକୁ ପଠାଇଥିଲେ। ଟଙ୍କା ନେବାପରେ ତାନ୍ତ୍ରିକ ଘରର ମାଟି ଖୋଳି ଥିଲା। ମାଟି ତଳୁ ବୁଦ୍ଧଙ୍କ ମୂର୍ତ୍ତି, ତମ୍ବା ପାତ୍ର, ତମ୍ବାର ରାଧା କୃଷ୍ଣଙ୍କ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା କାଚର ବସ୍ତୁ, ତମ୍ବା ଇଟା ମିଳିଥିଲା। କିନ୍ତୁ ତାନ୍ତ୍ରିକ ଜଣକ ମହିଳାଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିଥିଲା। କାଚକୁ ହୀରା ଏବଂ ବିଭିନ୍ନ ବସ୍ତୁକୁ ସୁନା ବୋଲି କହିଥିଲା। କିନ୍ତୁ ପରେ ମହିଳା ଜଣକ ଏଗୁଡ଼ିକୁ ଯାଞ୍ଚ କରିବା ପରେ ଏସବୁ ନକଲି ବୋଲି ଜଣାପଡ଼ିଥିଲା। ତାନ୍ତ୍ରିକ ଘରର ମାଟି ଖୋଳିବା ସମୟରେ କୌଶଳକ୍ରମେ ଏଗୁଡ଼ିକୁ ଘରର ମାଟି ତଳେ ଲୁଚାଇ ରଖିଥିବା ଜଣାପଡ଼ିଥିଲା।
ଏ ନେଇ ମହିଳା ଜଣକ ଗଲା ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ କୈଫର ଘରେ ଚଢ଼ଉ କରିଥିଲା। ଘରୁ ନଗଦ ୨ ଲକ୍ଷ ୭୬ ହଜାର ୪୧୦ ଟଙ୍କା ସମେତ ଦୁଇଟି ଦାମୀ କାର୍, ୭୦ଟି ମୋବାଇଲ୍ ଫୋନ୍, ୨୦ଟି ହାତ ଘଣ୍ଟା, ୧୩ଟି ବ୍ୟାଙ୍କ ପାସବୁକ୍, ଚେକ୍ ବହି, ଜୀବନ ବୀମା ବଣ୍ଡ, ହିରା ଭଳି ଦେଖାଯାଉଥିବା କାଚର ବସ୍ତୁ, ଦୁଇଟି ତମ୍ବାର ବସ୍ତୁ, ୩ଟି ଲକ୍ଷ୍ମୀଙ୍କ ମୂର୍ତ୍ତି, ଗୋଟିଏ ତମ୍ବାର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ତମ୍ବାର ହଣ୍ଡା, ତମ୍ବାର ୪ଟି ପାତ୍ର, ତମ୍ବାର ଲକେଟ୍ ୧୦ଟି ଇତ୍ୟାଦି ଜବତ କରିଛି।




admin 