ବିଜେଡିରେ ମିଶିଲେ ଗଣେଶ୍ୱର

ବିଜେଡିରେ ମିଶିଲେ ଗଣେଶ୍ୱର

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଓଡ଼ିଶାରେ ଦଳଡିଆ ପର୍ବ ଜୋର ଧରିଛି । ତେବେ ଏହାରି ଭିତରେ କଂଗ୍ରେସ ଛାଡ଼ିଥିବା ଗଣେଶ୍ୱର ବେହେରା ବିଜେଡିରେ ମିଶିଛନ୍ତି । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶ୍ରୀ ବେହେରା ଶଙ୍ଖ ଫୁଙ୍କିଛନ୍ତି ।

ଆଜି ପର୍ୟ୍ୟନ୍ତ ବିଜେଡି ୧୦୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଇସ୍ତଫା ଦେଇଥିଲେ। ତେବେ ଆଜି ଗଣେଶ୍ୱର ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଗଣେଶ୍ୱରଙ୍କୁ ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ଏକ ପ୍ରତିଷ୍ଠିତ ହୋଟେଲରେ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀମାନେ ଏକତ୍ରିତ ହୋଇଥିଲେ । ବିଜୁ ପରିବାରର ସ୍ୱାର୍ଥ ପାଇଁ କର୍ମୀ ସମ୍ମିଳନୀ ନାମରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ, ମୁରଲୀ ସେଠୀ, ମାନଓ ସେଠୀ, ଦୁଷ୍ମନ୍ତ ମଲ୍ଲିକ ରାଜେଶ ଦାସ, ମାନସ ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀ ଆଶାୟୀ ଓ ଅନେକ କର୍ମୀ ସାମିଲ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ । ଶତାଧିକ କର୍ମୀଙ୍କ ଏକ ଦସ୍ତଖତ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।