ବଡ଼ ଖବର: ବିଜେଡିରେ ମିଶିଲେ ଲେଖାଶ୍ରୀ
ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଓଡ଼ିଶାରେ ଦଳଡିଆଁ ପର୍ବ ଜୋର ଧରିଛି । ତେବେ କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିବା ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ମିଶିଛନ୍ତି । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଲେଖାଶ୍ରୀ ଶଙ୍ଖ ଫୁଙ୍କିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ଏହି ଅବସରରେ ଏମପି ସସ୍ମିତ ପାତ୍ର ଓ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନାଙ୍କ ଉପସ୍ଥିତି ରହିଥିଲେ।
ପ୍ରକାଶ ଯେ ବିଜେପିରୁ ଆଜି ଇସ୍ତଫା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଥିଲେ। ସେ ଦଳର ରାଜ୍ୟ ଉପ-ସଭାପତି ପଦରେ ରହିଥିଲେ।
ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।
କୁହାଯାଉଛି, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ମାର୍ଚ୍ଚ ୩୦ ତାରିଖରେ ଦଳ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା। ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ୟ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଆଉ ଆଜି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।