ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ: ସବରେଜିଷ୍ଟ୍ରୀ ଅଫିସରେ ଗାର୍ଲଫ୍ରେଣ୍ଡ

ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ: ସବରେଜିଷ୍ଟ୍ରୀ ଅଫିସରେ ଗାର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିବାହ ପାଇଁ ଆବେଦନ ପ୍ରସଙ୍ଗରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ବିଜୟ ଅନ୍ୟ ଜଣଙ୍କୁ ବିବାହ ପାଇଁ ଆବେଦନ କରିବା ପରେ  ତାଙ୍କର ପ୍ରେମିକା ସୋମାଲିକା  ଶନିବାର କଟକ ସବରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି । ବିଜୟଙ୍କ ବିବାହ ଆବେଦନ ସମ୍ପର୍କରେ କମ୍ପ୍ଲେନ କରିବାକୁ ସେ କଟକ ସବରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଥିବା ସୂଚନା ମିଳିଛି । ଅନ୍ୟଜଣେ ମହିଳାଙ୍କୁ ବିବାହ କରିବା ପାଇଁ ବିଜୟଶଙ୍କର ଆବଦେନ କରିଥିବା ସମ୍ପର୍କରେ ନିକଟରେ ଜଣାପଡ଼ିଥିଲା । 

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପୁଣିଥରେ ବ୍ୟକ୍ତିଗତ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି । ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ୟାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ନିମନ୍ତେ ଗତ ୨୧ତାରିଖରେ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନ ତାରିଖଠୁ ଏକମାସର ନୋଟିସ୍ ଅବଧି ଶେଷ ପରେ ଶ୍ରୀ ଦାସ ନିଜର ବାନ୍ଧବୀଙ୍କୁ ବିବାହ କରିବେ । ପ୍ରତ୍ୟୁଷାଙ୍କ ଘର କଟକରେ ହୋଇଥିବାରୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ପ୍ରତ୍ୟୁଷାଙ୍କ ସହ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ୟ୍ୟରତ ଅଛନ୍ତି । ପ୍ରତ୍ୟୁଷାଙ୍କ ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ।
ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ ବିଧାୟକ ଶ୍ରୀ ଦାସ ତାଙ୍କର ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ । ୨୦୨୧ ମସିହାରେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ପ୍ରତ୍ୟୁଷାଙ୍କ ଏଣ୍ଟ୍ରି  ପରଠୁ ବିବାଦ ଦେଖାଦେଇଥିଲା । ପ୍ରତ୍ୟୁଷା ତାଙ୍କ ସ୍ୱାମୀଙ୍କ ସହ ବାଙ୍ଗାଲୋରରେ ରହୁଥିବାବେଳେ କୋଭିଡ୍ ସମୟରେ ନିଜ ଘରକୁ ଫେରିଥିଲେ । ଆଉ ତା’ପରେ ହିଁ ବିଜୟଶଙ୍କର ସହ ତାଙ୍କର ଘନିଷ୍ଠତା ଗଢ଼ି ଉଠିଥିଲା । ବିଜୟଶଙ୍କର ସହ ପ୍ରତ୍ୟୁଷା ଏକାଠି ପାଠ ପଢ଼ୁଥିଲେ । ଅବଶ୍ୟ ଇତିମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି ।