ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ
କଟକ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୮ ବର୍ଷ ବୟସ ହୋଇଥିଲେ। ଅସୁସ୍ଥତା ଯୋଗୁଁ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି। ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସେ ମଧୁମେହରେ ପୀଡ଼ିତ ଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନ୍ତିମ ସଂସ୍କାର ତାଙ୍କ ନିଜ ଜନ୍ମମାଟି ଯାଜପୁର ଜିଲ୍ଲାର ବିଜିପୁରରେ ହେବ ବୋଲି ଜଣାପଡ଼ିଛି। ସେ ଲୋକସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୧୯୭୧, ୧୯୮୧ ଓ ୧୯୮୪ରେ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ପରେ ୧୯୮୯ ଓ ୧୯୯୧ରେ ଜନତା ଦଳର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ବିବାଦୀୟ ପରିସ୍ଥିତିରେ ୧୯୯୩ ଜୁଲାଇ ୨୮ ତାରିଖରେ ତତ୍କାଳୀନ ନରସିଂହ ରାଓ ସରକାରକୁ ବଞ୍ଚାଇଥିଲେ। ତାଙ୍କର ପରଲୋକ ଖବରପାଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲାକୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଓ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।




user2 