ଅଧିକ ସୁରକ୍ଷା ଦେବ ‘ଏଆଇ’ ନିର୍ମିତ ହେଲମେଟ୍
ପ୍ରତିବର୍ଷ ଦୁର୍ଘଟଣାରେ ପ୍ରାୟ ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ଏକ ପରିସଂଖ୍ୟାନରୁ ଜଣାଯାଏ। ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବାଇକ୍ ଆରୋହୀ। ୨୦୨୨ ମସିହାରେ କେବଳ ଭାରତରେ ୭୫ ହଜାର ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଏ। ତେଣୁ ବାଇକ୍ ଚାଳନା ବେଳେ ହେଲ୍ମେଟ୍ ପରିଧାନ କରିବା ଅପରିହାର୍ଯ୍ୟ, କାରଣ କୌଣସି ଅନାହୂତ ଦୁର୍ଘଟଣାରେ ତାହା ମୁଣ୍ଡକୁ ସୁରକ୍ଷିତ ରଖିଥାଏ। ମାତ୍ର ଅନେକ କ୍ଷେତ୍ରରେ ଦୁର୍ଭାଗ୍ୟବଶତଃ ତାହା ଆରୋହୀଙ୍କର ଜୀବନ ରକ୍ଷାରେ ଯଥେଷ୍ଟ ସହାୟକ ହୋଇନଥିବାର ମଧ୍ୟ ନଜିର ରହିଛି। ତେବେ ଆମେରିକାର ବୋଲ୍ଡର ସ୍ଥିତ କଲୋରାଡୋ ବିଶ୍ବବିଦ୍ୟାଳୟ ଓ ସାଣ୍ଡିଆ ନାସ୍ନାଲ୍ ଲାବରାଟୋରିଜ୍ ପକ୍ଷରୁ ଏ ଦିଗରେ ଅଧିକ ସୁରକ୍ଷା ମିଳିବାର ଭରସା ମିଳିଛି।
ଗବେଷକମାନେ ଏଆଇ ଉପଯୋଗ କରି ହେଲମେଟ୍ରେ ଏକ ନୂତନ ସଂରଚନା ବିଶିଷ୍ଟ ଫୋମ୍ ଖଞ୍ଜିଛନ୍ତି ଯାହା ପୂର୍ବର ହେଲମେଟ୍ ତୁଳନାରେ ପରିଧାନକାରୀକୁ ୨୫ ପ୍ରତିଶତ ଅଧିକ ସୁରକ୍ଷା ଦେବ ବୋଲି ସେମାନେ ଦାବି କରିଛନ୍ତି। ମହୁଫେଣା ଢାଞ୍ଚାର ଗଠନରେ ସାମାନ୍ୟ ରୂପାନ୍ତର କରି ଏହି ଫୋମ୍ ସୃଷ୍ଟି କରାଯାଇଛି ଯାହା ସମାନ ପରିମାଣର ଫୋମ୍ରେ ପୂର୍ବାପେକ୍ଷା ଅଧିକ ୬ ଗୁଣ ଧକ୍କା ସମ୍ଭାଳିବାକୁ ସକ୍ଷମ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି।




admin 