ଖେଳୁଛି ପାଣିପାଗ, ହେଲାନି ବର୍ଷା

ଖେଳୁଛି ପାଣିପାଗ, ହେଲାନି ବର୍ଷା

ଭୁବନେଶ୍ୱର : ବର୍ଷା ହେଲାନି କି ତାତିରୁ ତ୍ରାହି ମିଳିଲା ନାହିଁ । ଏବେ ପୂର୍ବାନୁମାନ ଆସିଲାଣି ୨୦ ତାରିଖ ଯାଏ ସେମିତି ବର୍ଷା ନାହିଁ ଓଡ଼ିଶା ଭାଗ୍ୟରେ । ଗ୍ରୀଷ୍ମ ପ୍ରବାହର ପ୍ରକୋପ ଲାଗି ରହିବ । ୨୦ ତାରିଖ ପରଠାରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ପ୍ରଚଣ୍ଡ ନିଆଁ ବର୍ଷାରେ ଲୋକେ ଝାଇଁଆ ହୋଇ ଗଲେଣି । ବର୍ଷାର ଥଣ୍ଡା ସ୍ପର୍ଶକୁ ଚାତକ ଭଳି ଅନାଇ ବସିଛନ୍ତି । ପାଣିପାଗ ପୂର୍ବାନୁମାନ କିନ୍ତୁ ଘଡ଼ିକୁ ଘଡ଼ି ବଦଳୁଛି । କେତେବେଳେ କୁହାଯାଉଛି ବର୍ଷା ହେବ, କେତେବେଳେ ହେବନି ।

କାଳବୈଶାଖୀ ବର୍ଷା ଯୋଗୁଁ ରବିବାର ଠାରୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଥିଲେ। ସେମିତି କିଛି କମିଲାନି ସୂର୍ୟ୍ୟଙ୍କ ପ୍ରକୋପ । ଉପକୂଳରୁ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ୨୨ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ଥିଲା।ବର୍ଷାର ଦର୍ଶନ ମିଳି ନ ଥିଲା କେଉଁଠି । ରବିବାର ବିଭାଗ ପୁଣି ପୂର୍ବାନୁମାନ ଦେଇଛି, ଠାଏ ଠାଏ କାଳବୈଶାଖୀ ବର୍ଷା ହେବ ୧୭ ତାରିଖ ଠାରୁ । ତାତି ଖସିବ । ୧୯ ଯାଏ ଏମିତି କାଁ ଭାଁ ବର୍ଷା ହେବ କେଉଁଠି କେଉଁଠି । ହେଲେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ ଦେଇଛନ୍ତି, ଏବେ ନୁହେଁ, ୨୦ ତାରିଖ ପରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଉତ୍ତର ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଗରମ ଜାରି ରହିବ । ୨୦ ଓ ୨୧ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ୨୧ ଓ ୨୨ରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।