ନିର୍ମାଣାଧୀନ ପାଇପରେ ଛାତ୍ରୀ ମୃତ୍ୟୁ ଘଟଣା : ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ
କଟକ : ନିର୍ମାଣାଧୀନ ବକ୍ସଡ୍ରେନ୍ ପାଇପରେ ଖସିପଡି କଟକ ସହରର କେଶରପୁର ଗହ୍ମାଡିଆଠାରେ ଯୁକ୍ତଦୁଇ ଛାତ୍ରୀ ଏନ. ମୋହିନୀ(୧୭)ଙ୍କ ଗତକାଲି ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହାନଗର ନିଗମର (ସିଏମ୍ସି)ର ୨ ସହକାରୀ ଯନ୍ତ୍ରୀଙ୍କୁ ନଗର ଉନ୍ନୟନ ବିଭାଗ ନିଲମ୍ବିତ କରିଛି। ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ପ୍ରଧାନ ଓ ଦିଲୀପ କୁମାର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ତତ୍କାଳ ନିଲମ୍ବନ କରାଯାଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି।
ମୃତଛାତ୍ରୀ ଏନ.ମୋହିନୀଙ୍କ ପରିବାରକୁ ସିଏମସି ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ମେୟର ସୁବାସ ସିଂହ ଓ ନିଗମ ଆୟୁକ୍ତ ନିଖିଲପବନ କଲ୍ୟାଣଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଥିଲେ। ଏହାକୁ ସେଠାରେ ଦୀର୍ଘ ସମୟଧରି ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରୁ ଆସିବା ପରେ ମେୟର ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ନିଗମ କାର୍ୟ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜାଇକା, ପୂର୍ତ୍ତ ବିଭାଗ ସମେତ ସିଏମସିର ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ସିଏମସି କମିସନରଙ୍କ ନେତୃତ୍ୱରେ ଏକ ଉକ୍ତ ଘଟଣାର ତଦନ୍ତ କରାଯିବାକୁ ସ୍ଥିର ହୋଇଥିଲା। ଯେଉଁ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ପାଇଁ ଏଭଳି ଅଘଟଣ ଘଟିଛି ତାଙ୍କ ବିରୋଧ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଥାଉକି, ବୁଧବାର ପୂର୍ବାହ୍ଣରେ ଏନ୍.ମୋହିନୀ ଡ୍ରେନ୍ ଅତିକ୍ରମ କରୁଥିବାବେଳେ ବଡ ଲୁହା ପାଇପ୍ରୁ ଖସିପଡିଥିଲେ। ଏହାକୁ ଦେଖି ମୋହିନୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ଲୁହାପୋଲଟି ଭାଙ୍ଗି ପଡ଼ିଥିଲା। ୪୫ମିନିଟ୍ ଧରି ସେ ଲୁହା ପାଇପ୍ ମଧ୍ୟରେ ଚାପି ହୋଇ ରହିଥିଲେ। ପରେ ଜେସିବି ସହାୟତାରେ ନାବାଳିକାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ମାତ୍ର ଡାକ୍ତରଖାନାରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।




admin 