ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏପରି କହିଲେ ନରସିଂହ
ଭୁବନେଶ୍ୱର: ନିଜ ଲେଖା ଓ ଗଣମାଧ୍ୟମରେ ବିଜେଡି ବିରୋଧରେ ନିଜର ଆକ୍ରମଣାତ୍ମକ ଶୈଳୀକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ତେବେ ଏନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଠାରେ ଗୁମାସ୍ତା ଶାସନ ଚାଲିଛି । ଏକଛତ୍ରବାଦ ଶାସନ ପାଇଁ ଲୋକେ ଭୋଟ ଦେଇନଥିଲେ । ତଥ୍ୟଭିତ୍ତିକ ସମାଲୋଚନା କରିବା ସମସ୍ତଙ୍କ ଅଧିକାର ରହିଛି । ବ୍ଲାକମେଲା ଶବ୍ଦ ଯିଏ ବ୍ୟବହାର କରୁଛି, ସେ ଡିକ୍ସନାରୀ ଦେଖନ୍ତୁ । ତେବେ ଦଳରେ କାହାକୁ ରଖିବେ କାହାକୁ କାଢିବେ ତାଙ୍କ ଦଳ ଉପରେ ନିର୍ଭର କରେ ବୋଲି ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲେ ମଧ୍ୟ ଦଳରେ ତାଙ୍କ ପ୍ରାଥମିକ ସଦସ୍ୟ ପଦ ସୁରକ୍ଷିତ ରହିଛି।
ସୌମ୍ୟ ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ନବୀନଙ୍କ କାର୍ୟ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସୌମ୍ୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ସପ୍ତାହେ ଧରି ମାହୋଲ ତିଆରି ହୋଇଥିଲା।
ପ୍ରଥମେ ଦଳର ବରିଷ୍ଠ ନେତା ଅରୁଣ ସାହୁ, ଅତୁନ ସବ୍ୟସାଚୀ ନାୟକ, ପ୍ରତାପ ଦେଓ, ଶ୍ରୀମୟି ମିଶ୍ର, ଲେନିନ ମହାନ୍ତି ଓ ଅମର ପଟ୍ଟନାୟକଙ୍କ ମାଧ୍ୟମରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।




admin 