ଲଘୁଚାପ କ୍ଷେତ୍ର ସୃଷ୍ଟି

ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ଏହାର ପ୍ରଭାବରେ ରବିବାରଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜି ସକାଳ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କଟକରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍‌ ୭୦ ମିମିରୁ ୨୦୦ ମିମି ଏବଂ ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ।

ପରବର୍ତ୍ତୀ ୨୪ ଘଣ୍ଟା ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ। ରବିବାର ସକାଳଠାରୁ ସୋମବାର ସକାଳ ସୁଦ୍ଧା ଏହି ୩ଟି ଜିଲ୍ଲାରେ ୨୦୦ ‌ମିମିରୁ ଅଧିକ ପରିମାଣର ବର୍ଷା ହେବ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାକି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଜୁନ୍‌ ୨୬ ତାରିଖ ସକାଳ ୮ଟାରୁ ୨୭ ତାରିଖ ସକାଳ ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବ।