ଓଟିଇଟି ଫଳାଫଳ,୩୪ ହଜାର ୩୨୭ ଜଣ ପରୀକ୍ଷାର୍ଥୀ ପାସ୍
କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୨ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି ।ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଓଟିଇଟି- ୧ ଏବଂ ଓଟିଇଟି- ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଦୁଇଟି ଯାକ ପେପରରେ ସମୁଦାୟ ୩୪ ହଜାର ୩୨୭ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ସୂଚନା ମିଳିଛି । ପେପର-୧ ରେ ୧୮ ହଜାର ୯୭୦ ଜଣ ପାସ୍ କରିଥିବା ବେଳେ ପେପର-୨ ରେ ୧୫ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୨୦୨୧ ଓଟିଇଟି ଫଳାଫଳ ତୁଳନାରେ ୨୦୨୨ରେ ପାସ୍ ହାର ଅଧିକ ଅଛି । ତେବେ ୨୦୨୨ ଓଟିଇଟିରେ ପାସ୍ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଫେଲ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ଦୁଇଟିଯାକ ପେପରରେ ସମୁଦାୟ ୫୦ ହଜାର ୧୮ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଥିବା ବୋର୍ଡରୁ ସୂଚନା ମିଳିଛି ।
ଓଟିଇଟି-୨୦୨୨ ଲାଗି ରାଜ୍ୟରେ ସମୁଦାୟ ୧ ଲକ୍ଷ ୫୪ ହଜାର ୯୮୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ପେପର-୧ ରେ ୭୬ ହଜାର ୮୩୨ ଜଣ ଏବଂ ପେପର-୨ ରେ ୭୮ ହଜାର ୧୫୩ ଜଣ ଫର୍ମ ପୂରଣ କରିଥିଲେ । ଜୁଲାଇ -୧ ରେ ହୋଇଥିବା ଏହି ପରୀକ୍ଷାରେ ପେପର-୧ ରେ ୧୫ ହଜାର ୦୫୫ ଜଣ ପରୀକ୍ଷାର୍ଥୀ ଏବଂ ପେପର -୨ ରେ ୧୨ ହଜାର ୭୭୮ ଜଣ ପରୀକ୍ଷାର୍ଥୀ ,ଏପରି ମୋଟ ୨୭ ହଜାର ୮୩୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ସମୁଦାୟ ୧ ଲକ୍ଷ ୨୭ ହଜାର ୧୫୨ ଜଣ ଦୁଇଟି ଯାକ ପେପର ପରୀକ୍ଷା ଦେଇଥିଲେ । ପେପର-୧ ରେ ୬୧ ହଜାର ୭୭୭ ଜଣ ଏବଂ ପେପର-୨ରେ ୬୫ ହଜାର ୩୭୫ ଜଣ ମୋଟ ପରୀକ୍ଷା ଦେଇଥିଲେ ।




admin 