ରାଜ୍ୟ ସମବାୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସମବାୟ ବିଭାଗର ବିଭିନ୍ନ ଉପଲବ୍ଧ ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ । ଆମ ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍ସ) ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥା ସମୟରେ ଏବଂ ସହଜ ସୁବିଧା କିମ୍ବା ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି ।
ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ ଟଙ୍କାରୁ ୧,୦୦,୦୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହା ଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ଵ ଅତିରିକ୍ତ କ୍ଷ୍ଯୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇ ପାରିଛନ୍ତି । ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଅଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚୀତ କରୁଛି । ଏତଦ୍ ବ୍ୟତୀତ, ରାଜ୍ୟରେ ପାକ୍ସ ମାନେ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକ୍ସ ମାନଙ୍କ ଦ୍ଵାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ଵଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକ୍ସର କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଅଛି ଯାହାକି ସାରା ଦେଶରେ ପ୍ରଥମ ଅଟେ । ତୃଣମୂଳ ସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ ଗୋଟି ନୂତନ ପାକ୍ସ ସଂଗଠିତ କରାଯାଇଅଛି ।
କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ ଗୋଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମ ରେ ସ୍ଥାନିତ କରାଯାଇଅଛି । ଇ-ନାମ ପ୍ଲାଟଫର୍ମ ରେ ଏଫପିଓ ମାନଙ୍କୁ ପଞ୍ଜୀକରଣ କରାଯାଇଅଛି ଏବଂ ଏ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଅଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୁତ ବୃଦ୍ଧି ଘଟି ଓଡିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଅଛି ।
ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନର ମୋଟ ୫୧ ଗୋଟି ଗୋଦାମରୁ ୪୪ ଗୋଟି ଗୋଦାମରେ ଓୟେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ଲାଗୁ କରାଯାଇଅଛି ଓ ଡବ୍ଲ୍ୟୁଡିଆରଏ ଅଧୀନରେ ପଞ୍ଜୀକୃତ କରାହୋଇଅଛି ।
ଚାଷୀଙ୍କୁ ପ୍ରାକୃତିକ ବିପର୍ଯୟ ଜନିତ ଫସଲ ହାନି ପାଇଁ ସୁରକ୍ଷା ଦେବାପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଅଛନ୍ତି । ଏବଂ ୨୦୨୧-୨୨ ବର୍ଷପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ କୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଅଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ଚାଷୀଙ୍କୁ ବୀମା ପ୍ରିମିୟମ ଦେୟମୁକ୍ତ କରିବା ପାଇଁ ଯୋଜନା ରହିଅଛି ।
୨୦୨୩-୨୪ ବର୍ଷପାଇଁ ବିଭିନ୍ନ ଯୋଜନାର ରୂପାନ୍ତକରଣ ପୂର୍ବକ ସମସ୍ତ ମାର୍କେଟ ୟାର୍ଡ, ମ୍ୟୁନିସିପାଲିଟି, ମାର୍କେଟ ଓ କୃଷକ ବଜାର ମାନଙ୍କୁ ଇ-ନାମ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଜଟଣୀ ଠାରେ କ୍ୟାପିଟାଲ ରିଜିୟନ ଏଗ୍ରିକଲ୍ଚରାଲ ମାର୍କେଟ ସ୍ଥାପନ, କୃଷିଜାତ ଦ୍ରବ୍ୟର ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହନ, ରାଜ୍ୟରେ 40 ଲକ୍ଷ ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ସମବାଯ କୃଷିରୁଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତି କରଣ, ପାକ୍ସ ଭିତ୍ତିଭୂମି ର ବିକାଶ ସହ ମାଇକ୍ରୋ ଏଟିଏମ ସ୍ଥାପନ ପୂର୍ବକ ଏନ ପିସି ଆଇ ଅନୁମୋଦିତ ଦେୟ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ଏହି କ୍ରମରେ ସମବାୟ ବିଭାଗ ଅଧିନସ୍ଥ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିବାର ସଫଳତା ପାଇ ଅଛି ।




admin 