ନେହରୁ ମ୍ୟୁଜିୟମ ନାମ ବଦଳିଲା

ନେହରୁ ମ୍ୟୁଜିୟମ ନାମ ବଦଳିଲା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଐତିହାସିକ ‘ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ’ ବା ‘ଏନ୍‌ଏମ୍‌ଏମ୍‌ଏଲ’ର ନାମ ପରିବର୍ତ୍ତନ କରାଯାଇ ‘ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟି’ ବା ‘ପିଏମ୍‌ଏମ୍‌ଏଲ’ ରଖାଯାଇଛି। ଅଗଷ୍ଟ ୧୪ରୁ ଏହି ପରିବର୍ତ୍ତନ ବିଧିବଦ୍ଧ ଭାବେ କାର୍ୟ୍ୟକାରୀ ହୋଇଛି । ଜୁନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ପରିଚାଳନା ପରିଷଦର ଏକ ସ୍ବତନ୍ତ୍ର ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବ ଗୃହୀତ ହୋଇଥିଲା ବୋଲି କହିଛନ୍ତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ରାଜନାଥ ମ୍ୟୁଜିୟମ ପରିଚାଳନା ସୋସାଇଟିର ଉପସଭାପତି ଅଛନ୍ତି। ସରକାରଙ୍କ ଏହି ନାମ ପରିବର୍ତ୍ତନ ପଦକ୍ଷେପକୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସରକାର ନିରନ୍ତର ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ଆଦର୍ଶକୁ ସ୍ମୃତିପଟରୁ ଲିଭାଇବା ଉଦ୍ୟମ ଚଳାଇଛନ୍ତି ଓ ତାଙ୍କୁ ଅପମାନିତ କରିଚାଲିଛନ୍ତି। ନେହରୁଙ୍କୁ ବଦନାମ କରିବା ଓ ତାଙ୍କର ଅବଦାନକୁ ଅସ୍ବୀକାର କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକମାତ୍ର ଲକ୍ଷ୍ୟ ହୋଇଆସିଛି। ଏହା ସତ୍ତ୍ବେ ନେହରୁଙ୍କ ଆଦର୍ଶ ଦେଶବାସୀଙ୍କୁ ପିଢ଼ି ପରେ ପିଢ଼ି ଅନୁପ୍ରାଣିତ କରିଚାଲିବ ବୋଲି କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ। ନାମରୁ ‘ଏନ୍‌’ ହଟାଇ ‘ପି’ ଲେଖିବା ମୋଦୀଙ୍କ ‘ପେଟିନେସ୍‌’ ବା ହୀନମନ୍ୟତା ଓ ‘ପିଭ୍‌’ ବା ଅସୁରକ୍ଷିତ ମନୋଭାବ ତଥା ବିରକ୍ତି ଭାବର ପରିଚାୟକ ବୋଲି ସେ କହିଛନ୍ତି।