କଥାଥିଲା ଏକାଠି ମରିବୁ, ପ୍ରେମିକାକୁ ବିଷ ଦେଇ ଖସିଗଲା ପ୍ରେମିକ
ଭୁବନେଶ୍ୱର : ପ୍ରେମର କରୁଣ ପରିଣତି । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ଧୋକାବାଜ ପ୍ରେମିକ । ସାଥୀ ହୋଇ ମରିବାକୁ ନିଷ୍ପତ୍ତି ନେଇ ପ୍ରେମିକାକୁ ବିଷ ବୋତଲ ପିଇବାକୁ ଧରାଇ ଦେଲା, କିନ୍ତୁ ପ୍ରେମିକା ବିଷ ପିଇବା ପରେ ନିଜେ ପିଇଲା ନାହିଁ । ଶେଷରେ ମେଡିକାଲ ବେଡ୍ରେ ଏକ ମାସ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଚାଲିଗଲା ପ୍ରେମିକାର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଂଚାୟତ ଅନ୍ତର୍ଗତ ନୂନପାଣି ଗାଁ’ରେ ।
ସୂଚନା ଅନୁସାରେ, ନୂନପାଣି ଗାଁର ଜଣେ ନାବାଳିକା ସେହି ଗାଁର ଜଣେ ଯୁବକଙ୍କୁ ଦୀର୍ଘ ୨ ବର୍ଷ ଧରି ଭଲ ପାଉଥିଲେ । ହେଲେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁ ପ୍ରେମରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ଉଭୟ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ । ଶେଷରେ ଦୁଇଜଣ ବିଷ ପିଇ ମରିଯିବାକୁ ନିଷ୍ପତ୍ତି ନେଇଥିଲେ । ଗତ ମାର୍ଚ୍ଚ ୧୯ ତାରିଖ ଦିନ ନାବାଳିକା ଜଣଙ୍କ ସଂପୃକ୍ତ ଯୁବକଙ୍କ ଘରକୁ ଯାଇଥିଲେ । ଯୁବକଙ୍କ ଘର ବାଡି ପଟରେ ଥିବା ଘରେ ଦୁହେଁ ବିଷ ପିଇବେ ବୋଲି ନିଷ୍ପତ୍ତି ନେଇଥିଲେ । ସଂପୃକ୍ତ ଯୁବକ ଏକ ବିଷ ବୋତଲ ଆଣି ନାବାଳିକାଙ୍କୁ ଦେଇଥିଲେ । ତୁ ବିଷ ପିଇବା ପରେ ମୁଁ ପଇବି ବୋଲି କହିଥିଲେ । ସଂପୃକ୍ତ ଯୁବକ କଥାରେ ରାଜି ହୋଇ ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ । ହେଲେ ଯୁବକ ଜଣଙ୍କ ବିଷ ପିଇନଥିଲେ । ସେହି ସ୍ଥାନରୁ ପଳାଇ ଯାଇଥିଲେ । ଯୁବକଙ୍କ ପରିବାର ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ନାବାଳିକାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଖବର ପାଇ ଡାକ୍ତରଖାନାରେ ପହଂଚିଥିଲେ । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ମାସ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଗତକାଲି ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଗତକାଲି ରାତିରେ ନାବାଳିକାଙ୍କ ମୃତଦେହକୁ ଡାକ୍ତରଖାନାରୁ ଘରକୁ ନ ଆଣି ସଂପୃକ୍ତ ଯୁବକଙ୍କ ଘର ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି । ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରୁ ବୋଲି ଦାବି କରିଛନ୍ତି । ଗତ ମାର୍ଚ୍ଚ ୨୨ ତାରିଖ ଦିନ କୋକସରା ଥାନାରେ ନାବାଳିକାଙ୍କ ବାପା ସଂପୃକ୍ତ ଯୁବକ ନାଁରେ ଅଭିଯୋଗ କରିବା ପରେ ବି ପୁଲିସ କାହିଁକି ତାଙ୍କୁ ଗିରଫ କରିନାହିଁ ବୋଲି ପରିବାର ଲୋକେ କହିଛନ୍ତି ।




admin 