ଜାଣନ୍ତୁ, ଗର୍ଭାଶୟ ସମ୍ବଦ୍ଧରେ କିଛି ବିଶେଷ ତଥ୍ୟ

ଜାଣନ୍ତୁ, ଗର୍ଭାଶୟ ସମ୍ବଦ୍ଧରେ କିଛି ବିଶେଷ ତଥ୍ୟ

 ଜରାୟୁ ବା ଗର୍ଭାଶୟ ହେଉଛି ନାରୀର ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ ଏହି ଅଙ୍ଗ ବାହାର କରିବାକୁ ହୁଏ। ବିଶେଷକରି ଯଦି ଅଳ୍ପ ବୟସରେ ଜରାୟୁ ଅପସାରଣ କରାଯାଏ ତେବେ ପରବର୍ତ୍ତୀ ସମୟରେ ଏଥିନେଇ ଉପୁଜୁଥିବା ବିଭିନ୍ନ ସମସ୍ୟାଠୁ ଦୂରେଇ ରହିବାକୁ ଅନେକ ଦିଗ ପ୍ରତି ସତର୍କ ହେବା ନିହାତି ଆବଶ୍ୟକ…

ନାରୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗର୍ଭାଶୟ ବା ଜରାୟୁ। ମାସିକ ଋତୁସ୍ରାବକୁ ସନ୍ତୁଳିତ ରଖିବା ପାଇଁ ମସ୍ତିଷ୍କ ଓ ଡିମ୍ବକୋଷରୁ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ନାମକ ସ୍ତ୍ରୀ ହରମୋନ୍‌ ଝରିଥାଏ, ଯାହା ଜରାୟୁକୁ ସୁସ୍ଥ ରଖିବା ସହ ମହିଳାମାନଙ୍କର ନାରୀତ୍ୱ ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରିଥାଏ। ଇଷ୍ଟ୍ରୋଜେନ୍‌ ଏକ ଚମକତ୍ାର ହର୍‌ମୋନ। ଏହା କେବଳ ମହିଳାମାନଙ୍କୁ ସୌନ୍ଦର୍ଯ୍ୟମୟୀ କରେ ନାହିଁ ବରଂ ସେମାନଙ୍କର ସ୍ବାସ୍ଥ୍ୟ ପାଇଁ ଏକ ରକ୍ଷାକବଚ ପାଲଟିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ କୌଣସି ମହିଳାଙ୍କର ଜରାୟୁ ଅପସାରଣ ସମୟରେ ଡିମ୍ବକୋଷର ଅପସାରଣ ହେଲେ ମେନୋପଜ୍‌ ବା ମାସିକ ଋତୁସ୍ରାବ ବିରତିର ଲକ୍ଷଣମାନ ଦେଖାଦେଇଥାଏ ଏବଂ ଏହି ହର୍‌ମୋନ କ୍ଷରଣ କମିଯାଏ, ଯଦ୍ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା ଜରାୟୁ ଅପସାରଣ କ’ଣ, ଏହାର ବୟସସୀମା କେତେ, ଏହାର କାରଣ, ଲକ୍ଷଣ ଓ ଚିକିସତ୍ା ବିଷୟରେ।

ଜରାୟୁ ଅପସାରଣ କ’ଣ- ଯେତେବେଳେ ଅସ୍ତ୍ରୋପଚାର ଦ୍ୱାରା ମହିଳାମାନଙ୍କ ଜରାୟୁ ବା ଗର୍ଭାଶୟ କାଢ଼ିନିଆଯାଏ ଏବଂ ଜରୁରୀ ହେଲେ ଦୁଇଟି ଯାକ ଡିମ୍ବକୋଷକୁ ମଧ୍ୟ କାଢ଼ି ନିଆଯାଏ ତାକୁ ଜରାୟୁ ଅପସାରଣ ବା ହିଷ୍ଟେରୋକ୍ଟୋମି କୁହାଯାଏ।

କାରଣ: ଅତିରିକ୍ତ ରକ୍ତସ୍ରାବ ବା ଆବ୍‌ନର୍ମାଲ ୟୁଟେରାଇନ ବ୍ଲିଡିଂ (ଏୟୁବି), ଗର୍ଭାଶୟରେ ଟ୍ୟୁମର, ଟ୍ୟୁବୋ ଓଭାରିଆନମାସ୍‌, ଏଣ୍ଡୋମେଟ୍ରିଓସିସ୍‌ , ଗର୍ଭାଶୟ ବା ଜରାୟୁ ଗ୍ରୀବା କର୍କଟ ରୋଗ, ବିନାଇନ୍‌ ଓଭାରିଆନ୍‌ ଟ୍ୟୁମର, ଜରାୟୁ ପରଫୋରେସନ୍‌, ଜରାୟୁ ଗ୍ରୀବା ଚିରିଗଲେ ବା ଜରାୟୁ ଫାଟିଗଲେ। ବେଳେବେଳେ ପ୍ରସବ ପରେ ଅତିରିକ୍ତ ରକ୍ତସ୍ରାବ ହେଲେ, ଗର୍ଭଫୁଲ ଜରାୟୁରେ ଲାଗିଗଲେ, ମୋଲାର ବା ଅଙ୍ଗୁରଦାନା ଗର୍ଭ ହେଲେ ବା ସେପ୍ଟିକ୍‌ ଗର୍ଭପାତ ହେଲେ ଜରାୟୁ ଅପସାରଣ କରାଯାଏ।

ସାଧାରଣତଃ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଏହି ଅସ୍ତ୍ରୋପଚାର ହୋଇଥାଏ। ସ୍ଥଳ ବିଶେଷରେ କେତେକ ଜରୁରୀ ପରିସ୍ଥିତିରେ ଯଥା ବେଶି ରକ୍ତସ୍ରାବ ହେଲେ ବା ଟ୍ୟୁମର ହେଲେ କିମ୍ବା କର୍କଟ ରୋଗ କିମ୍ବା ଅନ୍ୟ କିଛି ଜଟିଳତା ଯୋଗୁ ୪୦ ବର୍ଷରୁ କମ୍‌ ବୟସରେ ମଧ୍ୟ ଜରାୟୁ ଅପସାରଣ କରାଯାଇଥାଏ।