୧୦୭ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, କାହିଁକି ଜାଣନ୍ତୁ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କେତେକ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟରତ ପ୍ରଧାନ ଶିକ୍ଷକଙ୍କ କାର୍ୟ୍ୟକଳାପକୁ ନେଇ କ୍ଷୁବ୍ଧ ହୋଇଛି ଜିଲ୍ଲା ଶିକ୍ଷା ବିଭାଗ । ଏଥିପାଇଁ ୧୦୭ଟି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ୧୫ ଦିନ ଭିତରେ କାରଣ ନ ଦର୍ଶାଇଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫା ସଫା ଶୁଣାଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଯାହାକୁ ନେଇ ଏବେ ସେହି ପ୍ରଧାନ ଶିକ୍ଷକମାନେ ହରଡ଼ଘଣାରେ ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଗତ ସୋମବାର ଦିନ ଚଳିତ ବର୍ଷର ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ ମେଳାକୁ ନେଇ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉପସ୍ଥିତ ରହିବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଏହି ବୈଠକରେ ଜିଲ୍ଲାରେ କୌଣସି ବିଜ୍ଞାନ ଶିକ୍ଷକ ସାମିଲ ହୋଇନଥିଲେ । ଏହାକୁ ନେଇ ଶିକ୍ଷା ବିଭାଗ ଖୁବ୍ କ୍ଷୁବ୍ଧ ହୋଇଥିଲା । ଶିକ୍ଷା ବିଭାଗର ନିର୍ଦ୍ଦେଶ ସତ୍ତ୍ବେ କାହିଁକି ପ୍ରଧାନ ଶିକ୍ଷକମାନେ ବିଜ୍ଞାନ ଶିକ୍ଷକଙ୍କୁ ବୈଠକକୁ ପଠାଇଲେ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।
ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଫୋନ ଯୋଗେ ସୂଚନା ଦେଇଛନ୍ତି ଯେ, ଜଗତସିଂହପୁରରେ ଚଳିତ ବର୍ଷ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହେବାକୁ ଯାଉଛି । ଏହାକୁ ଜିଲ୍ଲା ସ୍ତରରେ କିପଳି ପାଳନ କରାଯିବ ତାହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବୈଠକ ଡକା ଯାଇଥିଲା । କିନ୍ତୁ ୧୦୭ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏହି ବୈଠକରେ ଅନୁପସ୍ଥିତ ରହିଥିଲେ । ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ପ୍ରଧାନ ଶିକ୍ଷକମାନଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୧୫ ଦିନ ମଧ୍ୟରେ ସେ ତାଙ୍କର ଉତ୍ତର ରଖିବେ । ଉତ୍ତର ଯଦି ସନ୍ତୋଷଜନକ ନହେଲା ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।




admin 