ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ : ଭାରତରେ ୨୦ କୋଟି ମୁସଲମାନ

ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ : ଭାରତରେ ୨୦ କୋଟି ମୁସଲମାନ

ନୂଆଦିଲ୍ଲୀ: ଭାରତରେ ଏବେ ପ୍ରାୟ ୨୦ କୋଟି ମୁସଲମାନ ବାସ କରୁଛନ୍ତି। ଗୁରୁବାର ଲୋକସଭାରେ ସରକାର ଏହି ସୂଚନା ଦେଇଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ମାଳା ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ‌ମୁସଲମାନ ଥିଲେ। ୨୦୨୩ର ମୁସଲମାନ ଜନସଂଖ୍ୟା ଆକଳନ ପାଇଁ ସରକାର ଏହି ଅନୁପାତକୁ ଉପଯୋଗ କରିଛନ୍ତି।

୨୦୧୧ ଜନଗଣନା ଅନୁସାରେ ଦେଶରେ ‌ମୁସଲମାନ ଲୋକଙ୍କ ସଂଖ୍ୟା ୧୭.୨ କୋଟି ରହିଥିଲା। ୨୦୨୩ରେ ଦେଶର ମୋଟ ଜନସଂଖ୍ୟା ୧୩୮.୮ କୋଟି ବୋଲି ଆକଳନ କରାଯାଇଛି। ୧୪.୨ ପ୍ରତିଶତ ହିସାବରେ ଦେଶର ମୁସଲମାନ ଜନସଂଖ୍ୟା ୧୯.୭ କୋଟି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ମୁସଲମାନ ସଂପ୍ରଦାୟର ଲୋକଙ୍କର ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସୂଚକ ସଂପର୍କରେ ମନ୍ତ୍ରୀ ସଂସଦରେ ସୂଚନା ରଖିଛନ୍ତି।

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ୨୦୨୧-୨୨ରେ ପ୍ରସ୍ତୁତ ଶ୍ରମଶକ୍ତି ସଂକ୍ରାନ୍ତ ସଂର୍ଭେରୁ ଜଣାଯାଇଛି ଯେ ୭ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସ ବର୍ଗର ମୁସଲମାନଙ୍କ କ୍ଷେତ୍ରରେ ସାକ୍ଷରତା ହାର ୭୭.୭ ପ୍ରତିଶତ ରହିଛି। ସବୁ ବୟସ ବର୍ଗରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୩୫.୧ ପ୍ରତିଶତ ରହିଛି।