ମଙ୍ଗ ଧରିଲେ ଶରତ
ମଙ୍ଗ ଧରିଲେ ଶରତ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମୁଖିଆ ହୋଇଛନ୍ତି ଦଳର ବରିଷ୍ଠ ନେତା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତାଙ୍କୁ ସୋନିଆ ଗାନ୍ଧି ଦେଇଛନ୍ତି ଓଡ଼ିଶା ଦାୟିତ୍ୱ । ଦୀର୍ଘଦିନ ଧରି ଚାଲିଥିବା ପିସିସି ସଭାପତି ଦୌଡ଼ ଓ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ନୂଆ ପିସିସି ସଭାପତି ହେବା ପରେ ଶରତ କହିଛନ୍ତି, କଂଗ୍ରେସ ଲଢ଼ିବ । ସଭିଙ୍କୁ ଏକାଠି କରି କଂଗ୍ରେସ ଆଗକୁ ଚାଲିବ । ନୂଆ ଦାୟିତ୍ୱ ଦିଆଯିବା ପରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ରାଜ୍ୟର ସବୁ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ପିସିସି ଥିଲେ । ମାତ୍ର ୨୦୦୪ ନିର୍ବାଚନ ପୂର୍ବରୁ ତାଙ୍କୁ ପଦବୀରୁ କାଢ଼ି ଦିଆଯାଇଥିଲା । ପୂର୍ବରୁ ସେ ୧୯୯୧ ଓ ୧୯୯୬ରେ ବଲାଙ୍ଗିର ଲୋକସଭା ଆସନରୁ ସାଂସଦ ହୋଇଥିଲେ । ଏହା ପୂର୍ବରୁ ସେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର ନେତୃତ୍ୱ ନେଇଥିଲେ ରାଜ୍ୟରେ ।
ଶରତଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ବର୍ତ୍ତମାନ ତାଙ୍କ ଆଗରେ ପାହାଡ଼ ଭଳି ଚାଲେଞ୍ଜ ରହିଛି । କଂଗ୍ରେସକୁ ସଂଗଠିତ କରି ଆଗକୁ ବଢ଼ିବାକୁ ହେବ । ନେତାମାନେ ଦଳ ଛାଡୁଥିବାବେଳେ ସେ କେମିତି ଏ ପକ୍ରିୟା ବନ୍ଦ କରିବେ ଓ ପୁରୁଣା ନେତାଙ୍କୁ ଫେରାଇ ଆଣିବେ, ତାହା ବଡ଼ ଚାଲେଞ୍ଜ । ସବୁଠୁ ବଡ଼ କଥା ହେଲା, କଂଗ୍ରେସ ଭିତରେ ଥିବା କନ୍ଦଳ ଦୂର କରିବା ସହ ସଭିଙ୍କୁ ଗୋଟିଏ ଶିବିରରେ ଏକାଠି କରିବା । ଏହାସହ ତୃଣମୂଳସ୍ତରରେ କର୍ମୀଙ୍କୁ ମନୋବଳ ବଢ଼ାଇ ସଂଗଠନକୁ ମଜୁବତ କରିବାକୁ ପଡ଼ିବ । କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧି ଦଳର ସବୁ ବଡ଼ ନେତାଙ୍କୁ ଡାକି ଦିଲ୍ଲୀରେ ବୈଠକ କରିଥିଲେ । ଦଳରେ ନୂଆ ସଭାପତି ଚୟନ ସହ ଦଳକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା ହୋଇଥିଲା । ଏହା ପରେ ଶରତଙ୍କ ଭଳି ଅନୁଭବୀ ନେତାଙ୍କୁ ପିସିସି ସଭାପତି ଦାୟିତ୍ୱ ମିଳିଛି ।
ଶରତଙ୍କୁ ଦାୟିତ୍ୱ ମିଳିବା ପରେ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଏହାକୁ ସ୍ୱାଗତ ଜଣାଇବା ସହ ଦଳ ମଜବୁତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।




admin 