କଂଗ୍ରେସ ଡିଜିଟାଲ ସଦସ୍ୟତା ଅଭିଯାନ ତେଜିବ

କଂଗ୍ରେସ ଡିଜିଟାଲ ସଦସ୍ୟତା ଅଭିଯାନ ତେଜିବ

 କଂଗ୍ରେସ ଡିଜିଟାଲ ସଦସ୍ୟତା ଅଭିଯାନ ତେଜିବ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ସମ୍ପର୍କିତ ବୈଠକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରତି ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀ ସ୍ତରରେ ଚିଫ ଏନରୋଲର ନିଯୁକ୍ତି କରାଯିବ। ସେମାନେ ପ୍ରତ୍ୟେକ ବୁଥରେ ବୁଥ ଏନରୋଲର ନିଯୁକ୍ତି କରିବେ, ଯିଏକି ପ୍ରତି ବୁଥସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ କରିବେ। ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ, ନେତୃବୃନ୍ଦ ବିଶେଷ କରି ସାମାଜିକ ଗଣମାଧ୍ୟମର ସଦସ୍ୟଙ୍କୁ ବୁଥ୍‌ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ଅନୁରୋଧ କରିଥିଲେ। 

        ରାଜ୍ୟସଭା ସାଂସଦ ତଥା ପ୍ରଦେଶ ନିର୍ବାଚନ ଅଧିକାରୀ (ପିଆରଓ) ନିରଜ ଡାଙ୍ଗି, ଏପିଆରଓ ସଂଦୀପ ସିଂ, ଅମିତାଭ ଚକ୍ରବର୍ତି ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ଉଦ୍‌ବୋଧନ ଦେଇ କହିଲେ ଯେ ଅଖିଳ ଭାରତ କଂଗ୍ରେସ କମିଟି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ବାଚନ ସଂପୂର୍ଣ୍ଣ କରିବା ପାଇଁ ସ୍ଥିର କରିଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ତଥା କ୍ରିୟାଶୀଳ କରି ପ୍ରତ୍ୟେକ ବୁଥ ଯେପରି ସକ୍ରିୟ ହୋଇପାରିବ, ସେ ସଂପର୍କରେ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଏହି ସଭ୍ୟ ସଂଗ୍ରହ ଉଭୟ ଫର୍ମ ପୂରଣ ଦ୍ୱାରା ଅଥବା ମୋବାଇଲ ଆପ୍‌ରେ ମଧ୍ୟ ସଭ୍ୟମାନେ ନାମ ପଞ୍ଜିିକରଣ କରିପାରିବେ । ସେଥିପାଇଁ କିଭଳି କର୍ମୀମାନେ ମୋବାଇଲ ମାଧ୍ୟମରେ ସଭ୍ୟ ହୋଇପାରିବେ ସେ ସଂପର୍କରେ ବୈଠକରେ ପ୍ରାଞ୍ଜଳ ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

        ଅଖିଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଡ. ଏ ଚେଲା କୁମାର, ସଂପାଦକ ରୁଦ୍ର ରାଜୁ କହିଲେ, ବର୍ତମାନ ରାଜ୍ୟରେ ପୌର ନିର୍ବାଚନରେ ନେତୃବୃନ୍ଦ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଅନୁରୂପ ଭାବରେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ମଧ୍ୟ ଆମକୁ ଅଗ୍ରାଧିକାର ଦେବାକୁ ପଡ଼ିବ। 

        ଉଦବୋଧନ ଦେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି  ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସପ୍ତଗିରୀ ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ଯଜେ୍ଞଶ୍ୱର ବାବୁ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଏହି ସମ୍ମିଳନୀରେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ସମେତ ପିସିସି ସଭ୍ୟ, ସମସ୍ତ ଜିଲ୍ଲା ସଭାପତି, ଏଆଇସିସି ସଭ୍ୟ, ସାମାଜିକ ଗଣମାଧ୍ୟମ ସଦସ୍ୟ, ପିସିସି କର୍ମକର୍ତା, କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛୁ ଯୋଗଦେଇଥିଲେ ।