ଆଣିଲା ଗୌରବ ବସ୍‌ ଚାଳକଙ୍କ ଝିଅ

ଆଣିଲା ଗୌରବ ବସ୍‌ ଚାଳକଙ୍କ ଝିଅ

ଭୁବନେଶ୍ୱର: ବାପା ସ୍ୱଳ୍ପ ବେତନ ପାଉଥିବା ଜଣେ ସ୍କୁଲ ବସ ଚାଳକ । ହେଲେ ପିଲାଙ୍କ ପାଠପଢ଼ାରେ କେବେ ବି ହେଳା କରିନାହାନ୍ତି । ଝିଅକୁ ଉଚ୍ଚଶିକ୍ଷିତା କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଅର୍ଥ ଯେପରି ପ୍ରତିବନ୍ଧକ ନ ସାଜେ ସେଥିପାଇଁ ପିଲାଙ୍କ ଶିକ୍ଷା ଲାଗି ପଡେ଼ାଶୀଙ୍କ ନିକଟରେ ବିଭିନ୍ନ ସମୟରେ ହାତ ପାତିଛନ୍ତି । ଆଉ ଆଜି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପରେ ବାପାର ଛାତି କୁଣ୍ଢେମୋଟ ହୋଇଯାଇଛି । କାରଣ ଝିଅ ଯୁକ୍ତ ୨ ବିଜ୍ଞାନରେ ୯୨.୧୬ ପ୍ରତିଶତ ନମ୍ବର ରଖି ବାପାଙ୍କ ଆଖିରେ ଆନନ୍ଦାଶ୍ରୁ ଭରିଦେଇଛି । 

ଏହା ହେଉଛି ବେସିକ୍‌ ସାଇନ୍ସ କଲେଜ ଛାତ୍ରୀ ଲୋନି ପାଣ୍ଡବଙ୍କ କଥା । ଲୋନି ୫୫୩ ନମ୍ବର ରଖି କଲେଜରେ ଦ୍ୱିତୀୟ ସର୍ବାଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ । ତାଙ୍କର ଏହି ସଫଳତା ପରେ କଲେଜ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବାପା ଅଶୋକ କୁମାର ପାଣ୍ଡବ ଓ ମା’ ସୁଚିତ୍ରା ପାଣ୍ଡବଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଯାଇଚି । ଏବେ ବାପା ଅଶୋକଙ୍କୁ କିନ୍ତୁ ଝିଅର ଆଗାମୀ ପାଠପଢ଼ା ପାଇଁ ଚିନ୍ତା ଘାରିଲାଣି । ଝିଅର ଭବିଷ୍ୟତ ପାଠପଢ଼ା ପାଇଁ ଅଶୋକ ଏବେ ବ୍ୟଙ୍କର ଦ୍ୱାରସ୍ଥ ହୋଇଛନ୍ତି । ମାତ୍ର ବ୍ୟାଙ୍କରୁ ଋଣ ମିଳିବା କଷ୍ଟ ହେଉଥିବା ସେ କହିଛନ୍ତି ।

ଲୋନି କହିଛନ୍ତି ଯେ, ପରୀକ୍ଷା ପୂର୍ବରୁ ଦିନକୁ ୬ରୁ ୮ ଘଣ୍ଟା ପରିଶ୍ରମ କରିଥିବାରୁ ଆଜି ଏଭଳି ଫଳାଫଳ ମିଳିଛି । ଆଗକୁ ଅଧିକ ପରିଶ୍ରମ କରି ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି ।