ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ
ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ
admin
Mar 17, 2021 - 11:33
Updated: Mar 17, 2021 - 11:33
ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ । ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ଏହି ସମୟରେ ପୁରୁଣା କ୍ଲାସର ପାଠ ରିଭିଜନ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ପୂର୍ବରୁ କରୋନା ପାଇଁ ପାଠପଢା ବ୍ୟାଘାତ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ ଘୋଷଣା କରାଯାଇଥିଲା
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ସ୍କୁଲ୍ ଓ ଗଣଣିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ସବୁ ପିଲା ପାସ୍ ବୋଲି ଘୋଷଣା କରିଥିଲେ। କରୋନା ମହାମାରୀକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି। ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି କହି ସାରିଛନ୍ତି। କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଅଫ୍ଲାଇନ୍ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନ୍ଲାଇନ୍ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋଇପାରିନାହିଁ। ତେଣୁ ପରୀକ୍ଷା କରିବା ଅସମ୍ଭବ। ସେଥିପାଇଁ ଯେଉଁପରି ଭାବେ ଗତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତ ବର୍ଷ ମଧ୍ୟ ସେହି ଢାଞ୍ଚା ଆପଣାଯିବ ।
ଅପରପକ୍ଷେ, ଏବେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ କ୍ଲାସ ରୁମ୍ ଚାଲିଛି। ପିଲାମାନେ ଅଫ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ତେଣୁ ସେମାନେ ଅଫ୍ଲାଇନ୍ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।