ରାଜ୍ୟରେ ଖୋଲାଯିବ ୫୫ଟି ଟ୍ରମା କେୟାର କେନ୍ଦ୍ର
ରାଜ୍ୟରେ ଖୋଲାଯିବ ୫୫ଟି ଟ୍ରମା କେୟାର କେନ୍ଦ୍ର
ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ରାଜ୍ୟରେ ୫୫ଟି ଆଘାତଜନିତ ଜଟିଳ ଚିକିତ୍ସା (ଟ୍ରମା କେୟାର) କେନ୍ଦ୍ର ଖୋଲାଯିବ । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଓ ଡାକ୍ତରଖାନାରେ ଭିଡ଼ କମାଇବା ଲକ୍ଷ୍ୟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ସଂଲଗ୍ନ ଛକ ନିକଟରେ ଏହିସବୁ ଟ୍ରମାକେୟାର କେନ୍ଦ୍ର ଖୋଲାଯିବ। ସ୍ବାସ୍ଥ୍ୟବିଭାଗର ପ୍ରସ୍ତାବକ୍ରମେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଶା ଦେଇ ଯାଇଥିବା ପ୍ରତ୍ୟେକ ଜାତୀୟ ରାଜପଥର ୫୦ରୁ ୧୦୦ କିଲୋମିଟର ଅନ୍ତରରେ ଏହି ଟ୍ରମା କେୟାର କେନ୍ଦ୍ରଗୁଡିକ ଖୋଲାଯିବ। ଏଥିମଧ୍ୟରେ ୩ଟି ଟ୍ରମାକେୟାର କେନ୍ଦ୍ର ପ୍ରଥମ ଓ ଦ୍ବିତୀୟ ବର୍ଗର ରହିଥିବାବେଳେ ଅବଶିଷ୍ଟଗୁଡିକ ତୃତୀୟଶ୍ରେଣୀ ବର୍ଗର।
ଏହିସବୁ ଟ୍ରମାକେୟାର କେନ୍ଦ୍ରରେ ଯେଭଳି ତ୍ବରିତ ଚିକିତ୍ସା ସେବା ମିଳିପାରିବ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୧୮ଟି ଘରୋଇ ଚିକିତ୍ସାଳୟ ସହିତ ସହବନ୍ଧିତ କରାଯାଇଛି। ଏଠାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ତେବେ ଅନୁଗୋଳରେ ସର୍ବାଧିକ ୬ଟି ଟ୍ରମାକେୟାର କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରହିଥିବାବେଳେ ମୟୂରଭଞ୍ଜରେ ୪ଟି, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ତିନୋଟି ଲେଖାଏଁ, ନୟାଗଡ, ନୂଆପଡା, ମାଲକାନଗିରି, ଖୋର୍ଦ୍ଧା, ଗଜପତି, ଢେଙ୍କାନାଳରେ ଦୁଇଟି ଲେଖାଏଁ ଏବଂ ଅବଶିଷ୍ଟ ଜିଲାରେ ଗୋଟିଏ ଲେଖାଏଁ ଟ୍ରମାକେୟାର କେନ୍ଦ୍ର ଖୋଲାଯିବ।




admin 