ପ୍ରେମିକାକୁ ହାଣି ହତ୍ୟା ଉଦ୍ୟମ କରି, ପ୍ରେମିକ ଗିରଫ

ପ୍ରେମିକାକୁ ହାଣି ହତ୍ୟା ଉଦ୍ୟମ କରି, ପ୍ରେମିକ ଗିରଫ

 ପ୍ରେମିକାକୁ ହାଣି ହତ୍ୟା ଉଦ୍ୟମ କରି, ପ୍ରେମିକ ଗିରଫ
ଭୁବନେଶ୍ୱର: ପ୍ରେମିକାକୁ ହାଣି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ । ତାଙ୍କ ନାମ ପବିତ୍ର ମୋହନ ମହନ୍ତ (୨୨) । ଘର କେନ୍ଦୁଝରପାଟଣା । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହୁଥିଲେ । ପୁଲିସ ସୂଚନା ଅନୁସାରେ ପୋଖରୀପୁଟରେ ଥିବା ଏକ ବେକରି ଦୋକାନରେ ଜଣେ ଯୁବତୀ କାମ କରୁଥିଲେ । ଉକ୍ତ ଯୁବତୀଙ୍କ ସହ ପବିତ୍ରଙ୍କର ପ୍ରେମ ସମ୍ପର୍କ ଥିଲା । ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ପବିତ୍ରଙ୍କ ସହ ସମ୍ପର୍କ ତୁଟାଇ ଦେଇଥିଲେ । କିନ୍ତୁ ପବିତ୍ର ତାଙ୍କ ପଛରେ ପଡ଼ିଥିଲେ । ଯୁବତୀ କିନ୍ତୁ ପବିତ୍ରଙ୍କ ଠାରୁ ଦୂରେଇ ରହୁଥିଲେ । ଗତ ୧୬ ତାରିଖ ଅପରାହ୍ନରେ ବେକରି ଦୋକାନରେ ଯୁବତୀ ଜଣକ ଏକୁଟିଆ ଥିଲେ । ପବିତ୍ର ଏକ ଧାରୁଆ ଅସ୍ତ୍ର ନେଇ ଦୋକାନରେ ପଶି ଯୁବତୀଙ୍କୁ ଗାଳି ଗୁଲଜ କରି ଅସ୍ତ୍ରରେ ତାଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲେ । ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗୁରୁତର ଅବସ୍ଥାରେ ଅନ୍ୟ ଦୋକାନୀ ମାନେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ସୁସ୍ଥ ହୋଇ ଯୁବତୀ ଫେରିବା ପରେ ଏ ନେଇ ଏୟାର ପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା । ପୁଲିସ ପବିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।