ନବ କିଶୋର ଦାସ ହତ୍ୟାଘଟଣା : ଗୁଜୁରାଟରେ ଗୋପାଳ

ନବ କିଶୋର ଦାସ ହତ୍ୟାଘଟଣା : ଗୁଜୁରାଟରେ ଗୋପାଳ

 ନବ କିଶୋର ଦାସ ହତ୍ୟାଘଟଣା : ଗୁଜୁରାଟରେ ଗୋପାଳ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାଘଟଣାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଆଉ ୫ ଦିନ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଜେଏମଏଫସି କୋର୍ଟ ରିମାଣ୍ଡ ମଞ୍ଜୁର କରିଛନ୍ତି । ଏହା ପୂର୍ବରୁ ତାକୁ ଫେବୃଆରୀ ୧ରୁ ୪ ତାରିଖ ଓ ୫ରୁ ୮ ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ୮ ଦିନ ରିମାଣ୍ଡରେ ଆଣି ପଚରା ଉଚରା କରାଯାଇଛି। ଏଥର ୧୧ ତାରିଖ ଯାଏ ଗୋପାଳ କ୍ରାଇମବ୍ରାଞ୍ଚ ହେପାଜତରେ ରହିବ। ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ ପରୀକ୍ଷା ଆବଶ୍ୟକ ହେବାରୁ ନ୍ୟାୟାଳୟର ଅନୁମତିରେ ତାକୁ ବୁଧବାର ଗୁଜୁରାଟ ନିଆଯାଇଛି । ସିଧାସଳଖ ବିମାନ ସୁବିଧା ନଥିବାରୁ ତାକୁ ଝାରସୁଗୁଡ଼ାରୁ ବିମାନ ଯୋଗେ କୋଲକାତା ଓ ସେଠାରୁ ଗୁଜୁରାଟ ଗାନ୍ଧିନଗରକୁ ନିଆଯାଇଛି ।  ଓଡ଼ିଶା‌େ‌ର ନାର୍କୋ ପରୀକ୍ଷା ସୁବିଧା ନ ଥିବାରୁ ଗୋପାଳକୁ ଗୁଜରାଟ ନିଆଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ତା ସ୍ବର ସ୍ତର ବିଶ୍ଲେଷଣ କରାଯାଇଛି। ତା ମନସ୍ତାତ୍ତ୍ବିକ ଯାଞ୍ଚ ମଧ୍ୟ କରାଯାଇଛି।

କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରୁଥିବା ଜଷ୍ଟିସ ଜେ ପି ଦାସ ବୁଧବାର ଝାରସୁଗୁଡ଼ା ଗସ୍ତରେ ଆସି ଗୋପାଳର ମନସ୍ତାତ୍ତ୍ବିକ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି। ଜଷ୍ଟିସ‌ ଜେପି ଦାସ ମଙ୍ଗଳବାର ସନ୍ଧ୍ୟା ବିମାନରେ ଭୁବନେଶ୍ବରରୁ ଝାରସୁଗୁଡ଼ା ପହଞ୍ଚିଥିଲେ। ସେ ବୁଧବାର ସକାଳ ୧୦.୧୫ରେ ଗାନ୍ଧି ଛକସ୍ଥିତ ଗୁଳିକାଣ୍ଡ ସ୍ଥଳକୁ ଯାଇ ସେ ଦିନର ଘଟଣା, ଅଭିଯୁକ୍ତ ଗୋପାଳ ସମସ୍ତଙ୍କ ଆଗରେ କିପରି ନବ ଦାସଙ୍କୁ ହତ୍ୟା କଲା ତାହା ପୁଲିସକୁ ପଚାରି ବୁଝିଥିଲେ। ସେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହିତ ଘଟଣା ବାବଦରେ ଆଲୋଚନା କରିଥିଲେ। ଏହାର ପ୍ରାୟ ଅଧା ଘଣ୍ଟା ପୂର୍ବରୁ ସକାଳ ୯.୪୫ରେ ପୁଲିସ ଡିଜି ସୁନୀଲ ବଂଶଲ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କୁ ଆଇଜି ଡା.ଦୀପକ କୁମାର ହତ୍ୟାକାଣ୍ଡ ବାବଦରେ ଅବଗତ କରାଇଥିଲେ। ଉଭୟଙ୍କ ପରିଦର୍ଶନ ସମୟରେ ଝାରସୁଗୁଡା ଏସ୍‌ପି ସ୍ମିଥ ପରମାରଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା ଓ ଏଡିଜେ (ଆଇନଶୃଙ୍ଖଳା) ଆର.କେ ଶର୍ମା ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଡିଜି ଶ୍ରୀ ବଂଶଲ ସନ୍ଧ୍ୟାରେ ଏଠାରୁ ଫେରି ଯାଇଛନ୍ତି । ତଦନ୍ତ ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତିି।