୭ କୋଟିର ନକଲି ନୋଟ୍‌ ଜବତ, ୭ ଗିରଫ

୭ କୋଟିର ନକଲି ନୋଟ୍‌ ଜବତ, ୭ ଗିରଫ

୭ କୋଟିର ନକଲି ନୋଟ୍‌ ଜବତ, ୭ ଗିରଫ

ମୁମ୍ବାଇ:  ନକଲି ନୋଟ୍‌ କାରବାର ଗ୍ୟାଙ୍ଗକୁ ଠାବ କରିଛି ମୁମ୍ବାଇ ପୁଲିସ। ପୁଲିସ୍ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିବାକୁ ସକ୍ଷମ ହୋଇଛି। ଏଥିସହ ଅନ୍ତଃରାଜ୍ୟ ନକଲି ନୋଟ କାରବାର କରୁଥିବା ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ନକଲି ନୋଟ ଛାପିବା ସହ ବିଭିନ୍ନ ରାଜ୍ୟରେ ଏହାକୁ ପହଞ୍ଚାଉଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ-୧୧ ଦାହିସାର ଚେକ ପୋଷ୍ଟରେ ଗୋଟିଏ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। କାର୍ ଯାଞ୍ଚ ବେଳେ ପ୍ରଥମେ ଗୋଟିଏ ବ୍ୟାଗ ଠାବ ହୋଇଥିଲା। ଏହାକୁ ଖୋଲିବା ପରେ ଏଥିରୁ ୨୫୦ ବଣ୍ଡଲର ନକଲି ୨ ହଜାର ଟଙ୍କିଆ ନୋଟ ମିଳିଥିଲା। ଏଥିରେ ମୋଟ ୫ କୋଟି ଟଙ୍କାର ନକଲି ନୋଟ ରହିଥିଲା। କାରରେ ଥିବା ୪ ଜଣଙ୍କୁ ପୁଲିସ୍ ଗିରଫ କରି ଜେରା କରିଥିଲା। ଏହି ସମୟରେ ସେମାନେ ତାଙ୍କର ଆଉ ୩ ଜଣ ସହଯୋଗୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ପାଇବା ପରେ ପୁଲିସ୍ ପଶ୍ଚିମ ଅନ୍ଧେରୀ ଉପକଣ୍ଠରେ ଥିବା ଗୋଟିଏ ହୋଟେଲରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମଧ୍ୟ ୧୦୦ଟି ବଣ୍ଡଲରେ ରହିଥିବା ୨ କୋଟି ଟଙ୍କାର ନକଲି ନୋଟ ମିଳିଛି। ଏହାର ଅର୍ଥ ୭ ଜଣଙ୍କ ଠାରୁ ମୋଟ ୩୫୦ ବଣ୍ଡଲର ୨ ହଜାର ଟଙ୍କିଆ ନୋଟ ଜବତ ହୋଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ନକଲି ନୋଟ ବ୍ୟତୀତ ପୁଲିସ୍ ଗୋଟିଏ ଲ୍ୟାପଟପ, ୭ଟି ମୋବାଇଲ ଫୋନ, ଅସଲି ୨୮,୧୭୦ ଟଙ୍କା, ଆଧାର କାର୍ଡ, ପାନ କାର୍ଡ ଓ ଅନ୍ୟାନ୍ୟ ଜିନିଷ ଠାବ କରିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଖୋଳତାଡ଼ ଏବେ କରାଯାଉଛି। ଏଥିପାଇଁ ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ୩୧ ତାରିଖ ଯାଏ ରିମାଣ୍ଡରେ ନେଇଛି।