୫-ଟି : ଡାକ୍ତରଙ୍କ ପାଇଁ ୧୦ ଲକ୍ଷ, ଅନ୍ୟ କର୍ମ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ପୁରସ୍କାର ଘୋଷଣା
୫-ଟି : ଡାକ୍ତରଙ୍କ ପାଇଁ ୧୦ ଲକ୍ଷ, ଅନ୍ୟ କର୍ମ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ପୁରସ୍କାର ଘୋଷଣା
admin
Oct 29, 2019 - 06:21
Updated: Oct 29, 2019 - 06:21
ଭୁବନେଶ୍ୱର: ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଛନ୍ତି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ବେଦନଶୀଳଳ ଭାବରେ ରୋଗୀ ମାନଙ୍କର ଯତ୍ନ ନେଉଛନ୍ତି । ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ଭଲ କାମ କରୁଥିବା ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ପୁରସ୍କୃତ କରାଯିବ ।
ସେବା କ୍ଷେତ୍ରରେ ଉକ୍ରର୍ଷତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ ୧୦ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଡାକ୍ତରଙ୍କ କ୍ଷେତ୍ରରେ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ୱ ମାନଙ୍କର ଏକ କମିଟି ଏହି ପୁରସ୍କାର ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।
ସ୍ୱାସ୍ଥ୍ୟ ସେବା ବୃତ୍ତିଧାରୀ ମାନଙ୍କ ପାଇଁ କ୍ୟାରିୟର ଆୱାର୍ଡ
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତିକରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସେ ସର୍ବନିମ୍ନ ୨୫ ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ ।
ସେହିପରି ନ୍ୟାସନାଲ କ୍ୱାଲିଟି ଆକି୍ରଡେଟିସନ ଷ୍ଟାଣ୍ଡାର୍ଡ ପ୍ରମାଣ ପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ ଭାବରେ ପରବର୍ତ୍ତୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ।
କାୟାକଳ୍ପ ପ୍ରମାଣ ପତ୍ର- କାୟାକଳ୍ପ ପ୍ରମାଣ ପତ୍ର ପାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।
ଲକ୍ଷ୍ୟ ପ୍ରମାଣ ପତ୍ର: ଲକ୍ଷ୍ୟ ପ୍ରମାଣ ପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ୱ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବରେ ଦିଆଯିବ ।
ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରୋଗୀଙ୍କ ମତାମତ ଭିତ୍ତିିରେ ଶ୍ରେଷ୍ଠ ୫ଗୋଟି ଅନୁଷ୍ଠାନ ପାଇଁ ପୁରସ୍କାର: ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀମାନଙ୍କର ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ ୫ ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ତା ସହିତ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମଚାରୀ ମାନଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ ।
ପ୍ରସବ ଓ ତଦ୍ଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମ୍କୁ ସ୍ୱାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।
ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ଆମର ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ ନ୍ୟାସନାଲ ଲେଭେଲ କ୍ୱାଲିଟି ଏକି୍ରଡିଟେସନ ହାସଲ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କର ସଫଳତାର ସ୍ୱୀକୃତି ଦେବା ଉଦେ୍ଧଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।