୩ ମାସରେ ଗିରଫ ହେଲେଣି ୮୫୮୩ ମଦ୍ୟପ ଚାଳକ

୩ ମାସରେ ଗିରଫ ହେଲେଣି ୮୫୮୩ ମଦ୍ୟପ ଚାଳକ

୩ ମାସରେ ଗିରଫ ହେଲେଣି ୮୫୮୩ ମଦ୍ୟପ ଚାଳକ
ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବ ବୋଲି ଅନେକ ସଚେତନତା କାର୍ଯ୍ୟକ୍ରମ ହେଲା । ନିୟମ ମାନି ନ ଚଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଚେତାଇ ଦିଆଗଲା । ରାଜ୍ୟ ସରକାର ଦୁଇ ଦଫାରେ ଦୁଇ ଥର ନିୟମ କୋହଳ କଲେ । କିନ୍ତୁ ଏତେ ସବୁ ସତ୍ତ୍ୱେ ଚେତି ନାହାନ୍ତି ମଦ୍ୟପ ଚାଳକ । ମଦ୍ୟପାନ କରି କିଏ ଭାରୀଯାନ ଚଳାଇଲାଣି ତ ଆଉ କିଏ ମଦ୍ୟପାନ କରି ଦ୍ରୁତବେଗରେ ବାଇକ୍ ଓ କାର୍ ଚଳାଉଛି । ନୂଆ ଆଇନ ବା କାର୍ଯ୍ୟାନୁଷ୍ଠାନର ଭୟର ସତେ ଯେମିତି କୌଣସି ପ୍ରଭାବ ଏମାନଙ୍କ ଉପରେ ପଡ଼ୁନାହିଁ । ଗତ ୩ ମାସ ମଧ୍ୟରେ ରାଜ୍ୟରେ ୮୫୮୩ ମଦ୍ୟପ ଚାଳକ ଧରା ପଡ଼ିଛନ୍ତି । କେବଳ ସେମାନଙ୍କୁ ଧରା ଯାଇଛି ତାହା ନୁହେଁ; ମୋଟା ଅଙ୍କର ଜରିମାନା ଆଦାୟ ପରେ ଜେଲ ପଠାଇ ଦିଆଯାଇଛି । ମଦ୍ୟପ ଚାଳକ ଜେଲ ଯିବା ତାଲିକାର ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଆଉ ସବା ତଳେ ରହିଛି ପୁରୀ । ବଡ଼ କଥା ହେଉଛି; ରାଜ୍ୟର ସବୁଠାରୁ ଅଧିକ ସଂଖ୍ୟକ ମଦ ଦୋକାନ ଓ ବାର୍ ଭୁବନେଶ୍ୱରରେ ଥିବାବେଳେ ଏଠାରେ ଗତ ୩ ମାସରେ ଯେତିକି ମଦ୍ୟପ ଚାଳକ ଧରା ପଡ଼ିଛନ୍ତି; ତାହା ଅତ୍ୟନ୍ତ ନଗଣ୍ୟ । ପୁଲିସ ଡିଜି (ଭାରପ୍ରାପ୍ତ) ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୨୩୯୪ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ । ସେଥିମଧ୍ୟରୁ ଗଞ୍ଜାମରେ ୪୭୫, ପୁରୀରେ ୯ ଓ ରାଜଧାନୀ ଭୁବନେଶ୍ୱରରେ ୧୬ ଜଣ ଧରା ପଡ଼ିଥିଲେ । ଅକ୍ଟୋବର ମାସରେ ସାରା ରାଜ୍ୟରେ ୩୪୬୨ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ । ସେଥିମଧ୍ୟରୁ କେବଳ ଗଞ୍ଜାମରେ ଧରା ପଡ଼ିଥିଲେ ୭୧୬ ଜଣ । ପୁରୀରେ ମାତ୍ର ୨ ଜଣ ଓ ଭୁବନେଶ୍ୱରରେ ୨ ଜଣ । ନଭେମ୍ବର ମାସରେ ସମୁଦାୟ ୨୭୨୭ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ । ଏହି ମାସରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୮ ଜଣ ମଦ୍ୟପ ଚାଳକ ଧରା ପଡ଼ିଥିଲେ, ପୁରୀରେ କେହି ଧରା ପଡ଼ି ନ ଥିଲେ ଓ ଭୁବନେଶ୍ୱରରୁ ଧରା ପଡ଼ିଥିଲେ ୨ ଜଣ । ତେବେ ଗତ ଦୁଇ ମାସ (ସେପ୍ଟେମ୍ବର ଓ ଅକ୍ଟୋବର) ରେ କଟକ ପୁଲିସ ୩୬ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରିଥିବାବେଳେ ଗତ ନଭେମ୍ବର ମାସରେ ୧୧୧ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଧିକାଂଶ ଚାଳକ ବିଳମ୍ବିତ ରାତିରେ ମଦ୍ୟପାନ କରି ଭାରୀଯାନ ଚଳାଉଥିବା ଜଣା ପଡ଼ିଛି । ପୁଲିସ ପକ୍ଷରୁ ବିଭିନ୍ନ ଟୋଲଗେଟ୍ ଫାଟକ ନିକଟରେ ମଧ୍ୟ ଯାଞ୍ଚ କରାଯାଇଥିଲା । ଆଗାମୀ ଦିନରେ ଏଭଳି ଯାଞ୍ଚ ଓ ଗିରଫଦାରି ଆହୁରି ଅଧିକ ହେବ ବୋଲି ଡିଜି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।