୧୬ରୁ ୨୦ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା

୧୬ରୁ ୨୦ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା

୧୬ରୁ ୨୦ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା

ପୁରୀ:ଆସନ୍ତା ୧୬ ତାରିଖ ସୋମବାର ଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରି । କରୋନା ସଂକ୍ରମଣ ଯୋଗୁ ଗତ ଏପ୍ରିଲ୍‌ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।

ଶ୍ରୀମନ୍ଦିର ଦର୍ଶନ ପାଇଁ ଖୋଲିବା ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ନୀଳାଚଳ ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମ୍‌ଓ ଡା. ସୁଜାତା ମିଶ୍ର ଏବଂ ଏସ୍‌ପି କେ. ବିଶାଲ୍‌ ସିଂଙ୍କ ସମେତ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କୋଭିଡ୍‌ କମିଟିର ସଦସ୍ୟ ଏବଂ ଛତିଶା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକରେ ଆସନ୍ତା ୧୬ ତାରିଖରେ ବଡ଼ଦେଉଳ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ।ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୬ ତାରିଖରେ ବଡ଼ଦେଉଳ ଦର୍ଶନ ନିମନ୍ତେ ଖୋଲିବ । ୧୬ରୁ ୨୦ ତାରିଖ ପର୍ୟ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଏହାପରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ୨୧ ଓ ୨୨ ତାରିଖ ଶ୍ରୀମନ୍ଦିର ବନ୍ଦ ରହିବ । ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ବିଶୋଧିତ କରାଯିବ । ୨୩ ତାରିଖରୁ ସର୍ବସାଧାରଣ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ଏଥିପାଇଁ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ପ୍ରବେଶ ପାଇଁ ୯୬ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର ଜରୁରି । ଶ୍ରଦ୍ଧାଳୁମାନେ ଏଥିମଧ୍ୟରୁ ଗୋଟିଏ ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।