ହିନ୍ଦୁଙ୍କ ଏକତା ପାଇଁ ଧାରା ୨୫ କାର୍ଯ୍ୟକାରୀ ହେଉ: ଶଙ୍କରାଚାର୍ଯ୍ୟ

ହିନ୍ଦୁଙ୍କ ଏକତା ପାଇଁ ଧାରା ୨୫ କାର୍ଯ୍ୟକାରୀ ହେଉ: ଶଙ୍କରାଚାର୍ଯ୍ୟ

ହିନ୍ଦୁଙ୍କ ଏକତା ପାଇଁ ଧାରା ୨୫ କାର୍ଯ୍ୟକାରୀ ହେଉ: ଶଙ୍କରାଚାର୍ଯ୍ୟ
ପୁରୀ : ଭାରତର ସମ୍ବିଧାନ ଧାରା ୨୫ ଅନୁଯାୟୀ ଜୈନ, ଶିଖ, ବୌଦ୍ଧ ଧର୍ମାବଲମ୍ବୀଙ୍କୁ ହିନ୍ଦୁ ପରିଭାଷିତ କରାଯାଇଛି । କିନ୍ତୁ କାଳକ୍ରମେ ସତ୍ତା, ପଦ ଲୋଭୀ ନେତାମାନେ ଏମାନଙ୍କୁ ଅଳ୍ପ ସଂଖ୍ୟକ ଘୋଷିତ କରି ହିନ୍ଦୁମାନଙ୍କୁ ବିଭାଜିତ କରିବାରେ ଲାଗିଛନ୍ତି । ହିନ୍ଦୁଙ୍କ ଅସ୍ତିତ୍ୱକୁ ଲୋପ କରିବାକୁ ସ୍ୱାର୍ଥବାଦୀ ନେତାମାନଙ୍କର ଏହା ଏକ ଭୟଙ୍କର ଷଡ଼ଯନ୍ତ୍ର । ନିଜର ସୁରକ୍ଷା ତଥା ପଦମର୍ଯ୍ୟାଦା ପାଇଁ ଏମାନେ ହିନ୍ଦୁମାନଙ୍କୁ ଭାଗ ଭାଗ କରିବାକୁ ପଛାଉନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଧାରା ୨୫କୁ କାର୍ଯ୍ୟକାରୀ କରି ହିନ୍ଦୁମାନଙ୍କୁ ଏକାଠି କରିବା ନିମନ୍ତେ ଶଙ୍କରାଚାର୍ଯ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ଗୋବର୍ଦ୍ଧନ ମଠ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ ସନାତନ ଧର୍ମ ପୁରା ବିଶ୍ୱକୁ ମାର୍ଗଦର୍ଶନ କରୁଛି । କମ୍ପ୍ୟୁଟର, ରକେଟ୍ ଯୁଗରେ ବି ସନାତନ ଧର୍ମର ମାର୍ଗ ପରାମର୍ଶ, ଗାଣିତିକ ଜ୍ଞାନକୁ ଅନୁସରଣ କରାଯାଉଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ସାମୂହିକ ହିତ ପାଇଁ ସମ୍ବିଧାନର ୨୫ତମ ଧାରାକୁ କ୍ରମାନ୍ୱିତ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବାକୁ ଶଙ୍କରାଚାର୍ଯ୍ୟ ସରକାରୀ ଓ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି । ଜୈନ, ଶିଖ, ବୌଦ୍ଧ ଆଦି ଧର୍ମାବଲମ୍ବୀମାନେ ପୁନର୍ଜନ୍ମ ଉପରେ ଆସ୍ଥା ରଖୁଛନ୍ତି । ସନାତନ ଧର୍ମ ଉପରେ ଏମାନଙ୍କର ଅଗାଢ଼ ବିଶ୍ୱାସ ରହିଛି । ଏଭଳି ସ୍ଥିତିରେ ଭାରତୀୟ ସମ୍ବିଧାନ ଧାରା ୨୫ରେ ଏମାନଙ୍କୁ ହିନ୍ଦୁ ବୋଲି ଘୋଷଣା କରାଯାଉ । ଦଲାଇଲାମା ନିଜକୁ ହିନ୍ଦୁ ବୋଲି ଅସ୍ୱୀକାର କରୁଥିବାରୁ ଶଙ୍କରାଚାର୍ଯ୍ୟ ତାଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନଥିଲେ । ଧାରା ୨୫ ଅନୁସାରେ ଜୈନ, ଶିଖ, ବୌଦ୍ଧ ଆଦି ଧର୍ମାବଲମ୍ବୀମାନଙ୍କୁ ହିନ୍ଦୁ ବୋଲି ଘୋଷଣା କଲେ ବିଶ୍ୱସ୍ତରରେ ହିନ୍ଦୁଙ୍କ ଜନସଂଖ୍ୟା ଦ୍ୱିତୀୟ ସ୍ଥାନ ଅଧିକାର କରିବ । ଯେହେତୁ ଧାରା ୩୭୦ ଉଚ୍ଛେଦ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି, ସେହି ଅନୁଯାୟୀ ଧାରା ୨୫କୁ ସରକାର ବିଚାରକୁ ନେବା ଦରକାର ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।