ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ଚାଲିଗଲା ୪ ଶିଶୁଙ୍କ ଜୀବନ

ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ଚାଲିଗଲା ୪ ଶିଶୁଙ୍କ ଜୀବନ

ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ଚାଲିଗଲା ୪ ଶିଶୁଙ୍କ ଜୀବନ

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ କମଳା ନେହରୁ ହସ୍ପିଟାଲର ଶିଶୁ ବିଭାଗର ଏସ୍ଏନ୍ସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ଶିଶୁଙ୍କ ଜୀବନ ଯାଇଛି। ୱାର୍ଡରେ ମୋଟ ୪୦ ଶିଶୁ ଥିବା ବେଳେ ଅନ୍ୟ ୩୬ ଜଣ ସୁରକ୍ଷିତ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ପରେ ହସ୍ପିଟାଲର ଶିଶୁ ବିଭାଗରେ  ନିଆଁ ଲାଗି ଯାଇଥିଲା। ଏହା ଆଖି ପିଛୁଳାକେ ଚାରି ଆଡ଼କୁ ବ୍ୟାପୀ ଯାଇଥିଲା।  ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ନିଆଁର କୋପ ଏତେ ଭୟଙ୍କର ଥିଲା ଯେ, ଏଥିନିମନ୍ତେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।  ୮ ଟି ଦମକଳ ବାହିନୀ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ 

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଲେଖା ଟଙ୍କାର ଅନୁକମ୍ପା ରାଶି ଘୋଷଣା କରଯାଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳାନାଥ ଏହି ଘଟଣାକୁ ବହୁତ କଷ୍ଟଦାୟକ ବୋଲି କହିଛନ୍ତି।

ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲେ। ସେ ଉଦ୍ଧାର କାର୍ୟ୍ୟର ତଦାରଖ କରିବା ସହ ନିଜେ ମଧ୍ୟ ରେସକ୍ୟୁ ଟିମ୍କୁ ଉଦ୍ଧାର କାର୍ୟ୍ୟରେ ସହାୟତା କରିଥିଲେ। ସର୍ଟସର୍କିଟ ଯୋଗୁ ଏପରି ଦୁର୍ଘଟଣା ଘଟିଥାଇପାରେ ବୋଲି ମନ୍ତ୍ରୀ ସାରଙ୍ଗ ଆଶଙ୍କା ପ୍ରକଟ କରିଛନ୍ତି। ଏଥିସହ ହସ୍ପିଟାଲ ଭିତର ଦୃଶ୍ୟ ଅତ୍ୟନ୍ତ ଭୟାନକ ବୋଲି କହିଛନ୍ତି।