ସ୍ମାର୍ଟ ଚିପ୍ କାଳ ସରିଲା, ଘରେ ବସି ପାଇବେ ଗାଡ଼ି କାଗଜପତ୍ର

ସ୍ମାର୍ଟ ଚିପ୍ କାଳ ସରିଲା, ଘରେ ବସି ପାଇବେ ଗାଡ଼ି କାଗଜପତ୍ର

ସ୍ମାର୍ଟ ଚିପ୍ କାଳ ସରିଲା, ଘରେ ବସି ପାଇବେ ଗାଡ଼ି କାଗଜପତ୍ର

ଭୁବନେଶ୍ୱର : ଆଉ ସ୍ମାର୍ଟ କାର୍ଡ ନୁହେଁ, କିମ୍ବା ଆରଟିଓ ଅଫିସରେ ଧାଡ଼ି ବାନ୍ଧି ନୁହେଁ, ବରଂ ଘରେ ବସି ଡାଉନଲୋଡ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ ଲିମିଟେଡ ସହ ହୋଇଥିବା ଚୁକ୍ତି ଅବଧି ଜୁଲାଇ ୨୮ରେ ଶେଷ ହୋଇଛି । ସଂସ୍ଥା ସହ ହୋଇଥିବା ଚୁକ୍ତିର ଆଉ ନବୀକରଣ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ବ୍ୟବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟନେସ ସାର୍ଟିଫିକେଟ ଓ ପରମିଟ ପ୍ରଭୃତି ପାଇବା ପାଇଁ ଗାଡ଼ି ଚାଳକଙ୍କୁ ଆଉ ଆରଟିଓ ଦଉଡ଼ିବାକୁ ପଡ଼ିବ ନାହିଁ କିମ୍ବା ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି । 
ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରି ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ । ଡାଉନଲୋଡ ହେଉଥିବା ପିଡିଏଫ ପୁଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣୀୟ ହେବ । 
ସୂଚନା ଅନୁସାରେ ଗାଡ଼ି କାଗଜପତ୍ର ଡାକରେ ଆସୁଥିବାରୁ ଅନେକ ସମୟରେ ବିଳମ୍ବ ହେଉଥିଲା । କେତେକ କ୍ଷେତ୍ରରେ ଠିକଣା ଠିକ ଥାଇ ମଧ୍ୟ ଡାକ କର୍ମଚାରୀ ଚିଠି ଦେଉନଥିବା ଅଭିଯୋଗ ରହିଥିଲା । ଘରକୁ କାଗଜପତ୍ର ପହଞ୍ଚିବା ପାଇଁ ଡାକ ଦେୟ ଗାଡ଼ି ମାଲିକକୁ ଦେବାକୁ ପଡ଼ୁଥିଲା । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିବା ପାଇଁ ସ୍ମାର୍ଟ ଚିପ ଲିମିଟେଡ ମଧ୍ୟ ଟଙ୍କା ନେଉଥିଲା । ଏଭଳି ଅଭିଯୋଗ ସବୁକୁ ଆଖି ଆଗରେ ରଖି ସରକାର ସ୍ମାର୍ଟ କାର୍ଡକୁ ହଟାଇ ଇଣ୍ଟରନେଟରୁ ଏହି ସବୁ କାଗଜପତ୍ର ଡାଉନଲୋଡ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି ।