ସେପ୍ଟେମ୍ବର ଯାଏ ବଢ଼ିଲା ଗାଡ଼ି କାଗଜପତ୍ରର ବୈଧତା
ସେପ୍ଟେମ୍ବର ଯାଏ ବଢ଼ିଲା ଗାଡ଼ି କାଗଜପତ୍ରର ବୈଧତା
admin
Jun 10, 2020 - 07:31
Updated: Jun 10, 2020 - 07:31
ଭୁବନେଶ୍ୱର: ଗାଡ଼ିର ବିଭିନ୍ନ କାଗଜପତ୍ରର ବୈଧତା ଅବଧିକୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ମାର୍ଚ୍ଚ ମାସରୁ ଏହି ବୈଧତାକୁ ଜୁନ ୩୦ ପର୍ଯ୍ୟନ୍ତ ବଢ଼ା ଯାଇଥିଲା । କୋଭିଡ-୧୯ ମୁକାବିଲାରେ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କାରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକୁ ଏହି ମର୍ମରେ ମାର୍ଗଦର୍ଶିକା ଜାରି କରାଯାଇଛି ।
ଏଣୁ ଗାଡ଼ିର କାଗଜପତ୍ରର ବୈଧତା ଶେଷ ହୋଇଯାଇଥିଲେ ମଧ୍ୟ ଜନସାଧାରଣ ଛାନିଆ ନ ହେବାକୁ ପରାମର୍ଶ ଦିଆଯାଇଛି । ପ୍ରବର୍ତ୍ତନ ସମୟରେ ବୈଧତା ନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଏହି କାଗଜପତ୍ର ମଧ୍ୟରେ ଫିଟନେସ, ସମସ୍ତ ପ୍ରକାର ପରମିଟ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟେସନ ରହିଛି । ଚଳିତ ବର୍ଷ ଫେବୃୟାରୀ ପହିଲା ପର ଠାରୁ କିମ୍ବା ମେ ୩୧ ପର୍ଯ୍ୟନ୍ତ ବୈଧତା ଶେଷ ହେଉଥିବା ସମସ୍ତ ଗାଡ଼ି ଦସ୍ତାବିଜର ନବୀକରଣ ଲକଡାଉନ କାରଣରୁ ହୋଇ ପାରିନଥିବାରୁ ବୈଧତା ଜୁନ୍ ଯାଏ ସମ୍ପ୍ରସାରଣ କରାଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ସୁଧୁରିନଥିବାରୁ ବିଭିନ୍ନ ସ୍ତରରୁ ଏହି ଅବଧି ବୃଦ୍ଧି କରିବା ପାଇଁ ଅନୁରୋଧ ଆସିଥିଲା । ଏହି ସବୁ ପରିସ୍ଥିତିକୁ ବିଚାର କରି ସମସ୍ତ ଗାଡ଼ି କାଗଜପତ୍ର ବୈଧତା ଅବଧିକୁ ପୁଣି ଥରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇବା ଲାଗି ମନ୍ତ୍ରୀ ଶ୍ରୀ ଗଡ଼କାରୀ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ ।