ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭାରତର ସୁରକ୍ଷା ବିପନ୍ନ ହେବ: ଅମରିନ୍ଦର ସିଂହ
ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭାରତର ସୁରକ୍ଷା ବିପନ୍ନ ହେବ: ଅମରିନ୍ଦର ସିଂହ
ଚଣ୍ଡିଗଡ଼ : କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କରାଗଲେ ସେ ବିରୋଧ କରିବେ ବୋଲି କହିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଗଣମାଧ୍ୟମକୁ ସେ କହିଛନ୍ତି ରାଷ୍ଟ୍ରର ସ୍ବାର୍ଥ ଦୃଷ୍ଟିରୁ ସେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବିରୋଧ କରିବେ। କାରଣ ଏହା ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ମାମଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସିଦ୍ଧୁଙ୍କ ବନ୍ଧୁ। ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ବାଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ଏଣୁ ସେ ମୁଖ୍ୟମନ୍ତ୍ରୀ ହେଲେ ତାହା ସମଗ୍ର ଭାରତର ସୁରକ୍ଷାକୁ ବିପନ୍ନ କରିବ।
ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ପଂଜାବ କଂଗ୍ରେସ ବିଧାୟକ ଦଳ ନେତା ବୈଠକରେ ଦୁଇଟି ସଂକଳ୍ପ ଗୃହୀତ ହୋଇଛି। ପ୍ରଥମ ସଂକଳ୍ପରେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଦ୍ବିତୀୟ ସଂକଳ୍ପରେ ବିଧାୟକ ଦଳ ନେତା ଅର୍ଥାତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ନ୍ୟସ୍ତ କରାଯାଇଛି । ସୋନିଆ ଯାହାକୁ ନେତା ବାଛିବେ ତାଙ୍କୁ ବିଧାୟକମାନେ ସମର୍ଥନ କରିବେ ବୋଲି କଂଗ୍ରେସର ପଂଜାବ ପ୍ରଭାରୀ ହରିଶ ରାଓ୍ବତ କହିଛନ୍ତି । ତେବେ ଆଜିର ବୈଠକରେ ବିଧାୟକ ଦଳ ନେତାଭାବେ କୌଣସି ନାମ ଉପରେ ଚର୍ଚ୍ଚା କରାଯାଇ ନଥିଲା ବୋଲି ପଂଜାବ ପାଇଁ କଂଗ୍ରେସ ପର୍ୟ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି । ସୂଚନାଯୋଗ୍ୟ ଯେ ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ଅପରାହ୍ଣ ସାଢେ ୪ଟା ବେଳେ ସେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଥିଲେ।




admin 