ସରକାରୀ ବାବୁଙ୍କ ସାଂଘାତିକ କାରନାମା, ମୃତ ଶାଶୂଙ୍କ ନାଁରେ ଚଳାଇଥିଲେ ବ୍ୟାଙ୍କ ଖାତା
ସରକାରୀ ବାବୁଙ୍କ ସାଂଘାତିକ କାରନାମା, ମୃତ ଶାଶୂଙ୍କ ନାଁରେ ଚଳାଇଥିଲେ ବ୍ୟାଙ୍କ ଖାତା
ଜୟପୁର: ମାଲାକନଗିରି ଜିଲ୍ଲାରୁ ଆସିଛି ସାଂଘାତିକ ଖବର। ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଜେରା ବେଳେ ଭିଜିଲାନ୍ସ ଆଗରେ କହିଛନ୍ତି, ସେ ତାଙ୍କ ମୃତ ଶାଶୂଙ୍କ ନାଁରେ ଦୁଇ ଦୁଇଟି ବ୍ୟାଙ୍କ ଖାତା ଚଳାଉଥିଲେ। ସେହି ଆକାଉଣ୍ଟରେ ପ୍ରଚୁର ଟଙ୍କା ଜମା ହୋଇଥିଲା । ଦୁଇଟି ଯାକ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ । ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୧ କୋଟି ୩୯ଲକ୍ଷ ଠାବ କରିଥିଲା ଭିଜିଲାନ୍ସ । ଏହାସହ ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଠାବ କରାଯାଇଥିଲା ।
ଜେରାରୁ ମିଳିଥିବା ତଥ୍ୟ ଅନୁସାରେ, ଆଶିଷଙ୍କ ଶାଶୂଙ୍କ ମୃତ୍ୟୁ ପ୍ରାୟ ୧୨ ବର୍ଷ ତଳେ ହୋଇଥିଲା । ୨୦୧୦ ଅକ୍ଟୋବର ୩୧ରୁ ଶାଶୂଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଦୀର୍ଘ ୧୨ ବର୍ଷ ଧରି ୨ଟି ଆକାଉଣ୍ଟ ଅପରେଟ୍ କରୁଥିଲେ । ୨୦୨୦ ଜୁଲାଇ ୧୧ରୁ ୨୦୨୨ ମାର୍ଚ୍ଚ ୨୫ ମାତ୍ର ଏକ ବର୍ଷ ୮ ମାସ ମଧ୍ୟରେ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ମୃତ ଶାଶୂଙ୍କ ମାଲକାନଗିରି ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ୧୬ ଥରରେ ୬୪ ଲକ୍ଷ ଟଙ୍କା ଜମା କରିଥିଲେ । ଏପରିକି ଯାଞ୍ଚରୁ ବର୍ତ୍ତିବା ଲାଗି ସେ ବାରମ୍ବାର ୨ ଲକ୍ଷ ଟଙ୍କାରୁ କମ୍ ଯେମିତି ୧ ଲକ୍ଷ ୯୮ ହଜାର ଟଙ୍କା ଜମା କରୁଥିବା ଭିଜିଲାନ୍ସ ଆଗରେ ମାନିଛନ୍ତି ।
ଶାଶୂଙ୍କ ନାଁରେ ମାଲକାନଗିରିରେ ଥିବା ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟ ସହ ଆଶିଷ କେନ୍ଦୁଝରରେ ଥିବା ଏସବିଆଇ ଆକାଉଣ୍ଟ ପରିଚାଳନା କରୁଥିଲେ । ଭିଜିଲାନ୍ସ ରେଡ୍ ବେଳେ ଆଶିଷଙ୍କ ନାଁରେ ୯ କୋଟିରୁ ଅଧିକ ସମ୍ପତ୍ତି ପାଇଛି । ଆଶିଷ ଚାକିରି କାଳରେ କେତେ ପରିମାଣରେ ବେଆଇନ୍ ସମ୍ପତ୍ତି ଅର୍ଜନ କରିଛନ୍ତି ତାର ତଦନ୍ତ ଏବେବି ଭିଜିଲାନ୍ସ ଜାରି ରଖିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଶିଷଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ । ଗତ ମାର୍ଚ୍ଚ ୨୯ ତାରିଖରେ ଆଶିଷଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ୩୦ ତାରିଖରେ କୋର୍ଟରେ ହାଜର କରିଥିଲା ।




admin 