ରାହୁଲ ଗଢ଼ିବେ ନୂଆ ଯୁବ ଟିମ୍

ରାହୁଲ ଗଢ଼ିବେ ନୂଆ ଯୁବ ଟିମ୍

ରାହୁଲ ଗଢ଼ିବେ ନୂଆ ଯୁବ ଟିମ୍


ନୂଆଦିଲ୍ଲୀ: ଦଳର ହେଭିୱେଟ ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାତ ଛାଡ଼ି ପଳାଇଲେ । ତାଙ୍କ ପରେ ଜିତିନ ପ୍ରସାଦ ବି ହାତକୁ ବାଏ ବାଏ କରି ପଦ୍ମ ଶିବିରରେ ମିଶିଗଲେ । ଏବେ ସୁସ୍ମିତା ଦେବ କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହେଲେ । ଜଣକ ପରେ ଜଣେ ଯୁବ ନେତା ହାତ ଛାଡ଼ି ଯିବା ପରେ କଂଗ୍ରେସକୁ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଶକ୍ତ ଧକ୍କା ଲାଗିଛି । ବିଜେପି ଓ ମୋଦିଙ୍କୁ ମାତ୍ ଦେବାକୁ ରାହୁଲ ଏବେ ନୂଆ ଯୁବ ଟିମ୍ ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ରାହୁଲ ଖୋଜୁଛନ୍ତି ନୂଆ ଦକ୍ଷ ଯୁବ ଚେହେରା, ଯିଏ ଛାଡ଼ିଯାଇଥିବା ନେତାଙ୍କ ଶୂନ୍ୟସ୍ଥାନ ପୂରଣ କରିବା ସହ କଂଗ୍ରେସକୁ ଆହୁରି ବଳ ଦେବ । କଂଗ୍ରେସର ଲୋକପ୍ରିୟତା ବଢ଼ାଇବା ସହ ସଂଗଠନରେ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ଯୋଡ଼ିପାରିବ ।

  ରାହୁଲ ବୁଝିଛନ୍ତି ଛାତ୍ର, ଯୁବ ଓ ମହିଳା ସଂଗଠନ ବିନା କଂଗ୍ରେସ ଦଳ କେବେ ବି କ୍ଷମତାକୁ ଫେରିପାରିବନି । ମୋଦି ସରକାରଙ୍କୁ ସବୁ ଦିଗରୁ ଘେରିବାକୁ ହେଲେ କଂଗ୍ରେସ ପାଇଁ ଯୁବ ସଂଗଠନକୁ ମଜବୁତ କରିବାକୁ ହେବ । ବର୍ତ୍ତମାନର ଯୁବ କଂଗ୍ରେସ ସଭାପତି ବିଭି.ଶ୍ରୀନିବାସ କରୋନା ମହାମାରୀବେଳେ ଲୋକଙ୍କ ପାଇଁ ଅନେକ ସାହାଯ୍ୟ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ । ସେଥିପାଇଁ ସେ ରାହୁଲଙ୍କ ଯୁବ ଟିମ୍ର ଶ୍ରୀନିବାସ ପ୍ରମୁଖ ସଦସ୍ୟ ଅଛନ୍ତି । କିନ୍ତୁ, ରାହୁଲ ଖୋଜୁଛନ୍ତି ଏମିତିକା ନେତା ଯିଏ ସଂଗଠନ ସହ ମୋଦି ବିରୋଧୀ ଅଭିଯାନ ଚଳାଇ ସାରା ଦେଶରେ ଯୁବବର୍ଗକୁ ସଂଗଠିତ କରିପାରିବ । ଏହି ପରିପ୍ରେକ୍ଷୀରେ ଜେଏନୟୁର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇର ଯୁବ ନେତା ଦେଶର ଚର୍ଚ୍ଚିତ ଚେହେରା କହ୍ନେୟା କୁମାରଙ୍କୁ କଂଗ୍ରେସରେ ସାମିଲ କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି । ଏହା ଭିତରେ କହ୍ନେୟା ମଧ୍ୟ ରାହୁଲଙ୍କୁ ଭେଟିଥିବା କୁହାଯାଉଛି । ଖୁବଶୀଘ୍ର କହ୍ନେୟା କଂଗ୍ରେସରେ ସାମିଲ ହୋଇପାରନ୍ତି । ଏ ଦିଗରେ କଂଗ୍ରେସ ପାଇଁ କେବଳ ଗୋଟିଏ ସମସ୍ୟା ହୋଇଛି ତେଜସ୍ୱୀ ଯାଦବଙ୍କ ଆରଜେଡି । କହ୍ନେୟା କଂଗ୍ରେସରେ ମିଶିବା କଥାକୁ ଆରଜେଡି ସହଜରେ ଗ୍ରହଣ କରୁନଥିବା କୁହାଯାଉଛି । ଏହା ଉପରେ କଂଗ୍ରେସ ଦଳ ବିଚାର ବିମର୍ଷ ଚଳାଇଛି । ବିହାର ପିସିସି ପୁନର୍ଗଠନ ପରେ କଂଗ୍ରେସରେ ମିଶିପାରନ୍ତି କହ୍ନେୟା । କହ୍ନେୟା ଆସିଲେ ବିହାରରେ କଂଗ୍ରେସକୁ ଏକ ଦକ୍ଷ ଯୁବ ଚେହେରା ମିଳିଯିବ । ଖାଲି ସେତିକି ନୁହେଁ, ରାଷ୍ଟ୍ରୀୟ ସ୍ତରରେ କହ୍ନେୟାଙ୍କୁ କଂଗ୍ରେସ କିଛି ବଡ଼ ଦାୟିତ୍ୱ ଦେଇ ମୋଦି ବିରୋଧୀ ଅଭିଯାନ ଆରମ୍ଭ କରିପାରିବେ । 

  ଗୁଜରାଟରେ ପୂର୍ବରୁ କଂଗ୍ରେସ ପାଖରେ ହାର୍ଦ୍ଧିକ ପଟେଲଙ୍କ ଭଳି ଯୁବ ନେତା ଅଛନ୍ତି, ତଥାପି ଦଳ ସେଠାରେ ଯୁବ ନେତା ଜିଗ୍ନେସ ମେୱାନୀଙ୍କ ଉପରେ ନଜର ରଖିଛି । ଗତ ନିର୍ବାଚନରେ ଜିଗ୍ନେସଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା । ନିର୍ଦ୍ଧଳୀୟ ଭାବେ ଜିଗ୍ନେସ ଲଢ଼ି ଜିତିଥିଲେ । ଏବେ ଜିଗ୍ନେସ ମଧ୍ୟ ରାହୁଲଙ୍କୁ ଭେଟି ଆଲୋଚନା କରିଥିବା  ଖବର ମିଳୁଛି । ସେହିପରି ଦକ୍ଷିଣ ଭାରତରେ କିଛି ଯୁବ ଚେହେରାଙ୍କୁ ଦଳରେ ସାମିଲ କରିବାକୁ ରାହୁଲ ଯୋଜନା କରିଛନ୍ତି । ମୋଦି ବିରୋଧୀ ଚେହେରା ଭାବେ ପରିଚିତ ଯୁବ ନେତାମାନଙ୍କୁ ରାହୁଲ କଂଗ୍ରେସରେ ସାମିଲ କରିବାକୁ ଚାହୁଁଛନ୍ତି । କହ୍ନେୟା, ଜିଗ୍ନେସ, ହାର୍ଦ୍ଧିକ, ଶ୍ରୀନିବାସଙ୍କ ଭଳି ଯୁବ ନେତା କଂଗ୍ରେସ ପାଇଁ ଭବିଷ୍ୟତ ରାସ୍ତା ତିଆରି କରିବେ ବୋଲି ରାହୁଲଙ୍କ ବିଶ୍ୱାସ ରହିଛି । ପ୍ରିୟଙ୍କା ଗାନ୍ଧି ମଧ୍ୟ ନୂଆ ନେତାଙ୍କୁ ସୁଯୋଗ ଦେବା ସପକ୍ଷରେ ଅଛନ୍ତି । ଏ ଯୋଜନା ଦିଗରେ କାର୍ଯ୍ୟ କରିବାକୁ କଂଗ୍ରେସକୁ ପ୍ରଶାନ୍ତ କିଶୋର ମଧ୍ୟ ସହାୟତା କରୁଥିବା ଶୁଣାଯାଉଛି । 

  ରାହୁଲଙ୍କ ନିକଟତର କିଛି ନେତା ଦଳ ଛାଡ଼ି ଦେଇଥିବାବେଳେ ସଚିନ ପାଇଲଟ, ରଣଦୀପ ସୁର୍ଯେୱାଲା, କେସି ଭେନୁଗୋଳ, ଗୌରବ ଗୋଗୋଇ ପ୍ରମୁଖ ଏବେ ଦଳର ବରିଷ୍ଠ ନେତା ଭାବେ ପରିଚିତ । ତେଣୁ ନୂଆ ପିଢ଼ିକୁ ସଶକ୍ତ କରିବାକୁ ରାହୁଲ ଯୋଜନା କରିଛନ୍ତି । ଖୁବଶୀଘ୍ର ରାହୁଲ ଏଭଳି କିଛି ନୂଆ ନେତାଙ୍କୁ ଦଳରେ ସାମିଲ କରିବେ ।