ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ମନମୋହନ
ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବେ ମନମୋହନ
admin
Aug 11, 2019 - 12:10
Updated: Aug 11, 2019 - 12:10
ନୂଆଦିଲ୍ଲୀ : ରାଜସ୍ଥାନରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ଅଗଷ୍ଟ ୧୩ରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ରାଜସ୍ଥାନ ବିଜେପି ଅଧ୍ୟକ୍ଷ ମହନଲାଲ ସୈନୀଙ୍କ ପରଲୋକ ଯୋଗୁଁ ଏହି ଆସନ ପାଇଁ ଉପନିର୍ବାଚନ କରାଯାଉଛି। ଅଗଷ୍ଟ ୨୬ରେ ଏନେଇ ମତଦାନ ହୋଇ ଫଳାଫଳ ପ୍ରକାଶ ପାଇବ। କିଛିଦିନ ପୂର୍ବେ ରାଜସ୍ଥାନ ବିଧାନସଭାରେ ବିଧାୟକମାନଙ୍କର ଏକ କାର୍ୟ୍ୟକ୍ରମରେ ଯୋଗଦେବା ପରଠାରୁ ମନମୋହନ ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ରାଜସ୍ଥାନରେ କଂଗ୍ରେସର ସଂଖ୍ୟାଗରିଷ୍ଠତା ଥିବାରୁ ମନମୋହନ ପୁନଃ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ। ପୂର୍ବରୁ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୧ରୁ ୨୦୧୯ ପର୍ୟ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୨୦୧୯ ଜୁନ ୪ରେ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି। ଏହାପରେ କଂଗ୍ରେସ ଆସାମରେ କ୍ଷମତାରେ ନ ଥିବାରୁ ସେ ପୁନଃ ରାଜ୍ୟସଭାକୁ ଆସିବା ସମ୍ଭବ ହୋଇନ ଥିଲା। ଗୃହର ଅନ୍ୟ କୌଣସି ଆସନ ଖାଲି ନ ଥିବାରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିପାରି ନ ଥିଲା।