ରାଜନୀତି ଛାଡିବେ ସୁର
ଭୁବନେଶ୍ୱର: ସବୁବେଳେ ମାଡ଼ି ଚାଲ କହୁଥିବା କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଆଉ ରାଜନୀତିରେ ଆଗକୁ ମାଡ଼ିବେନି । କାରଣ ସେ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ । ଏ କଥା ଆମେ କହୁନାହୁଁ । ଶ୍ରୀ ରାଉତରାୟ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ରାଉତରାୟ ଭେଟିଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ କ୍ୟାରିୟରରେ ଫୁଲଷ୍ଟପ ମାରିବା ସମ୍ପର୍କରେ ଘୋଷଣା କରିଛନ୍ତି । ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ଖୋଦ ସୁର ରାଉତରାୟ। ହେଲେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ନତ ରାଉତରାୟଙ୍କ ମଧ୍ୟରୁ କିଏ ପିତାଙ୍କ ଗାଦି ସମ୍ଭାଳିବେ ତାହାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା। ଶେଷରେ ସାନ ପୁଅ ହିଁ ବାପାଙ୍କ ଗାଦି ସମ୍ଭାଳିବା ସହ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି।
ସେ କହିଛନ୍ତି ଯେ, ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ । ମୋତେ ୮୦ ହେଲାଣି । ମୋ ସାନ ପୁଅ କଂଗ୍ରେସ ଟିକଟରୁ ଲଢିବ । ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି । ସାନ ପୁଅ କଂଗ୍ରେସରୁ ଲଢିବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିଲା । ବଡ଼ପୁଅ ସିଦ୍ଧାର୍ଥ ପାହାଡ଼ ଚଢି ରେକର୍ଡ କରିଛି । ତାହା ଜଣାଇବାକୁ ଯାଇଥିଲି । କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଗତ କାଲି ସୁର ରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିଥିଲେ। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁର ରାଉତରାୟ।




admin 