ମୋବାଇଲରେ ଗପି ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍
ମୋବାଇଲରେ ଗପି ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍
admin
Jan 2, 2020 - 05:46
Updated: Jan 2, 2020 - 05:46
ଭୁବନେଶ୍ୱର - ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଣିକି କେବଳ ଜରିମାନା ନୁହେଁ । ବରଂ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିଦେ୍ର୍ଧଶ ଦେଇଛି । ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ବୁଧବାର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି । ମୋବାଇଲ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିଦେ୍ର୍ଧଶ ରହିଥିଲା । ତା' ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା । କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ । ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସୂଚନା ମୁତାବକ, ସେପ୍ଟେମ୍ବର ମାସରେ ଏହାର ସମୀକ୍ଷା ବେଳେ ଜଣାପଡ଼ିଛି ଯେ ଆରଟିଓମାନଙ୍କ ଦ୍ୱାରା ୩୩୪ ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହୋଇଥିଲା । କ୍ରାଇମ୍ ବ୍ରାଞ୍ଚ ତଥ୍ୟ ଅନୁଯାୟୀ ବିଭିନ୍ନ ପୁଲିସ ଜିଲ୍ଲାରୁ ୪୯୬ ମଦ୍ୟପ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ପଠାଯାଇଛି । କିନ୍ତୁ ସାରଥୀ ଡାଟାବେସ୍ ଅନୁଯାୟୀ ମାତ୍ର ୧୨୬ଟି ଲାଇସେନ୍ସ ବାତିଲ କରାଯାଇଛି । ଏହା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି ।