ମୁହଁର ଆକାର ଅନୁସାରେ ଲଗାନ୍ତୁ ବିନ୍ଦି, ଦିଶିବେ ସୁନ୍ଦର
ମୁହଁର ଆକାର ଅନୁସାରେ ଲଗାନ୍ତୁ ବିନ୍ଦି, ଦିଶିବେ ସୁନ୍ଦର
ଭୁବନେଶ୍ୱର: ମହିଳାଟିଏ ସର୍ବଦା ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ଚାହିଁଥାଏ । ମହିଳାର ସୁନ୍ଦରତାକୁ ବୃଦ୍ଧି କରିବା ସହିତ ଆକର୍ଷଣୀୟ ଲୁକ୍ ଦେଇଥାଏ ବିନ୍ଦି । ବିନ୍ଦି ପାରମ୍ପରିକ ପୋଷାକରେ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା ବେଳେ ସବୁପ୍ରକାରର ବିନ୍ଦି କିନ୍ତୁ ସମସ୍ତଙ୍କ ଚେହେରାକୁ ମାନି ନ ଥାଏ । ତେଣୁ କେଉଁ ଚେହେରା ପାଇଁ କେଉଁ ବିନ୍ଦି ପରଫେକ୍ଟ ହୋଇଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ...
- ଗୋଲାକାର ଚେହେରା: ଯେଉଁ ନାରୀଙ୍କର ଗୋଲ ମୁହଁ ବା ଗୋଲାକାର ଚେହେରା ଥାଏ, ସେମାନେ ମଥାରେ କେବେ ବି ଗୋଲ ବିନ୍ଦି ଲଗାଇବା ଠିକ୍ ନୁହେଁ । କାରଣ ଗୋଲ ବିନ୍ଦି ସେମାନଙ୍କ ମୁହଁକୁ ଆହୁରି ଗୋଲ ଏବଂ ଛୋଟ କରି ଦେଇଥାଏ । ସେଥିପାଇଁ ସେମାନେ ଟିକେ ଲମ୍ବା ବାଲା ବିନ୍ଦି ପିନ୍ଧିବା ଆବଶ୍ୟକ ।
- ଅଣ୍ଡାକୃତି ଚେହେରା: ଏଭଳି ଚେହେରା ଥିବା ନାରୀ ଯେ କୌଣସି ଷ୍ଟାଇଲର ବିନ୍ଦି ପିନ୍ଧିପାରିବେ । କିନ୍ତୁ ବେଶୀ ଲମ୍ବା ବିନ୍ଦି ଏମାନଙ୍କୁ ସେତେ ଭଲ ମାନେନାହିଁ । ତା’ଛଡ଼ା ପିନ୍ଧୁଥିବା ଲିପଷ୍ଟିକର କଲରକୁ ମ୍ୟାଚିଂ କରି ବିନ୍ଦି ପିନ୍ଧିଲେ ଏମାନଙ୍କ ଚେହେରା ବେଶ୍ ଆକର୍ଷଣୀୟ ଦେଖାଯାଇଥାଏ ।
- ସ୍କୋୟାର୍ ଚେହେରା: ଏହି ଚେହେରା ଥିବା ନାରୀମାନଙ୍କୁ ଗୋଲ ବିନ୍ଦି ଅଥବା ଭି ଶେପର ବିନ୍ଦି ବେଶ୍ ଭଲ ମାନିଥାଏ ।
- ବଡ଼ ଚେହେରା: ଯେଉଁ ନାରୀଙ୍କର ମୁହଁ ଗୋଲାକାର ହେବା ସଙ୍ଗେସଙ୍ଗେ ଟିକେ ବଡ଼ ଦେଖାଯାଉଥିବ, ସେମାନେ ଟିକେ ବଡ଼ ସାଇଜର ଗୋଲ ବିନ୍ଦି ମଥାରେ ଲଗାଇଲେ ଲୁକ୍ ବେଶ୍ ସୁନ୍ଦର ଲାଗିଥାଏ ।
- ଛୋଟ ମଥା ଥିବା ଚେହେରା: ଛୋଟ ମଥା ଥିବା ଚେହେରାକୁ ତ୍ରିକୋଣ ଆକୃତିର ଚେହେରା ବୋଲି ବି କୁହାଯାଇଥାଏ । ତେବେ ଏହି ଟାଇପର ଚେହେରାକୁ ଯେ କୌଣସି ଷ୍ଟାଇଲର ବିନ୍ଦି ପିନ୍ଧିଲେ ବେଶ୍ ଭଲ ମାନିଥାଏ ।
- ହାର୍ଟ ଶେପ୍ ଚେହେରା: ଏହି ଚେହେରାକୁ ଛୋଟ ବିନ୍ଦି ବେଶ୍ ଭଲ ମାନିଥାଏ । କାରଣ ଏହି ଟାଇପର ଚେହେରା ଥିବା ନାରୀଙ୍କର ମଥା ଟିକେ ବଡ଼ ରହିଥାଏ ।
ଅବସର ଅନୁସାରେ ବିନ୍ଦି ଚୟନ
– ଯଦି ଆପଣ ଅଫିସକୁ ଶାଢି ପିନ୍ଧିକି ଯାଉଛନ୍ତି, ତା’ହେଲେ ହାଲକା ମେକଅପ୍ ସାଙ୍ଗକୁ ମଥାରେ ଗୋଟିଏ ଛୋଟ ବିନ୍ଦି ଲଗାଇଲେ ପ୍ରୋଫେଶନାଲ୍ ଲୁକ୍ ମିଳିଥାଏ ।
– ପାର୍ଟି, ଫଙ୍କସନକୁ ଯଦି ଆପଣ କିଛି ସିମ୍ପଲ୍ ଆଉଟଫିଟ୍ ପିନ୍ଧି ଯିବାକୁ ଯୋଜନା କରିଛନ୍ତି, ତା’ହେଲେ ସେ କ୍ଷେତ୍ରରେ ମଥାରେ ଭର୍ଟିକାଲ୍ ଶେପର ବିନ୍ଦି ପିନ୍ଧିଲେ ଲୁକ୍ ବେଶ ଆକର୍ଷଣୀୟ ଲାଗିବ ।
– କିନ୍ତୁ ହେଭି ୱାର୍କ ହୋଇଥିବା ଆଉଟ୍ଫିଟ୍ ସାଙ୍ଗକୁ ମଥାରେ ଛୋଟ ଏକ ସିମ୍ପଲ ବିନ୍ଦିଟିଏ ପିନ୍ଧିଲେ ବି ଲୁକ୍ ଖୁବ୍ ସୁନ୍ଦର ଲାଗିଥାଏ ।
– ବାହାଘର ଭଳି ଫଙ୍କସନରେ ଆପଣ ଚାହିଁଲେ ଟିକେ ବଡ଼ ସାଇଜର ଡିଜାଇନର ବିନ୍ଦି ପିନ୍ଧି ନିଜକୁ ସଜାଇ ପାରିବେ ।
ଜରୁରୀ ସୂଚନା
– ସବୁବେଳେ ଭଲ କମ୍ପାନୀର ବିନ୍ଦି ଲଗାଇବା ଉଚିତ୍ । କାରଣ ଆଜିକାଲି ମାର୍କେଟରେ ଖୁବ୍ ଶସ୍ତାରେ ବି ବିନ୍ଦି ମିଳିଯାଉଛି । କିନ୍ତୁ ଏହାକୁ ଲଗାଇଲେ ଆଲର୍ଜି ପରି ସମସ୍ୟା ଦେଖାଯାଉଛି ।
– ଗୋଟିଏ ବିନ୍ଦିକୁ ବହୁତ ଦିନ ପର୍ଯ୍ୟନ୍ତ ମଥାରେ ପିନ୍ଧିବା ଠିକ୍ ନୁହେଁ । କାରଣ ଏହାଦ୍ୱାରା ସେଠାରେ ଇନଫେକ୍ସନ ହୋଇଯିବାର ସମ୍ଭାବନା ରହିଥାଏ ।




admin 