ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର ହେବାରେ ଲାଗିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ୟ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।
ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ।
 ସିଲାଇ କାର୍ୟ୍ୟରେ ସଂପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଉପରେ ସଂପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ୭୬ତମ ସ୍ୱାଧୀନତା ଦିବସର ଏଇ ଶୁଭ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ। କିନ୍ତୁ ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଇ ଦିଆଯାଇଥିବା ଜାତୀୟ ପତାକା ସଂପୂର୍ଣ୍ଣ ସ୍ୱତନ୍ତ୍ର, କାରଣ ଏଥିରେ ସେମାନଙ୍କ ନିଷ୍ଠା, ଆନ୍ତରିକତା ଏବଂ ପର୍ୟ୍ୟାପ୍ତ ଶ୍ରଦ୍ଧା ଭରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟା ଏହି ପତାକା ସିଲାଇ କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ଦୈନିକ ହାରାହାରି ୩.୫ରୁ ୪ ଲକ୍ଷ ପର୍ୟ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲା। ଅଗଷ୍ଟ ୧୦ ତାରିଖ ଦିନ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ୱାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା । ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତି୍ରରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।