ମମିତାଙ୍କ ପାଇଁ କଳା କୋଟ ପିନ୍ଧିବେ ନରସିଂହ
ମମିତାଙ୍କ ପାଇଁ କଳା କୋଟ ପିନ୍ଧିବେ ନରସିଂହ
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ବିରୋଧୀ ଲଗାତାର ସରକାରଙ୍କୁ ଘେରୁଥିବାବେଳେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ମମିତାଙ୍କୁ ନ୍ୟାୟ ଦେବାକୁ ସେ ପୁଣି କଳା କୋଟ ପିନ୍ଧିବେ । ତାଙ୍କ ପରିବାର ପକ୍ଷରୁ କେସ୍ ଲଢ଼ି ମମିତାଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ କରିବେ । ମମିତାଙ୍କ ପରିବାରକୁ ତାଙ୍କ ଗାଁରେ ଭେଟିବା ପରେ ନରସିଂହ ଏକଥା କହିଛନ୍ତି ।କଂଗ୍ରେସର କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ନରସିଂହ ଆଜି ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।
ସେ କହିଛନ୍ତି, ଆଜି ଦ୍ୱିତୀୟ ଥର ପାଇଁ ପୀଡିତାଙ୍କ ପରିବାର ବର୍ଗ ସହିତ ଆଲୋଚନା କଲେ। ଆମର ଏଆଇସିସି ନେତୃବୃନ୍ଦଙ୍କ ସହିତ ସ୍ଥାନୀୟ ନେତୃବୃନ୍ଦ ଆଲୋଚନାରେ ଉପସ୍ଥିତ ଥିଲେ। ମମିତା ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ, ତାହା କରାଯିବ ।
ନରସିଂହ କହିଛନ୍ତି, ଏହା ଏକ ବୀଭସô ହତ୍ୟାକାଣ୍ଡ। କେବଳ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ବୋଧହୁଏ ଏହା ଏକ ବିରଳ ଘଟଣା। ଏହି ଘଟଣାରେ ଜଣକୁ ମାରି ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଦିଆଯାଇଛି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଏଫଆଇଆର ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି। ଏଫଆଇଆର ପଢି ଲାଗୁନାହିଁ ଯେ, ପରିବାର ଲୋକେ ନିଜ ଇଚ୍ଛାରେ ସେହି ଏଫଆଇଆର ଲେଖିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଡିଆଇଜି କହୁଛନ୍ତି ଯେ ତଦନ୍ତ ପ୍ରାୟ ସରିଗଲାଣି। ଆଉ ତଦନ୍ତର ଆବଶ୍ୟକତା ନାହିଁ। ତା’ମାନେ ୟା ପଛରେ ଯେଉଁମାନେ ଅଛନ୍ତି ଓ ଷଡଯନ୍ତ୍ର କରିଛନ୍ତି, ସେମାନଙ୍କ ବିରୋଧରେ ଆଉ ତଦନ୍ତ ହେବ ନାହିଁ। ଏହାକୁ ସେ ନିନ୍ଦା କରୁଛନ୍ତି ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି ।




admin 