ବିଲୁପ୍ତ ହେବାକୁ ବସିଛି ମାହାରୀ ନୃତ୍ୟ

ବିଲୁପ୍ତ ହେବାକୁ ବସିଛି ମାହାରୀ ନୃତ୍ୟ
ଆଜି ବିଶ୍ୱ ନୃତ୍ୟ ଦିବସ।ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ନୃତ୍ୟରେ ରୁଚି ରଖନ୍ତି। ଦିନଥିଲା ଶ୍ରୀବିଗ୍ରହମାନଙ୍କ ଉଦେଶ୍ୟରେ ଶ୍ରୀମନ୍ଦିରରେ ନୃତ୍ୟ ପରସି ଦେଉଥିଲେ ମାହାରୀ। ନାଚୁଣୀ ମାନେ ତ୍ୟାଗପୂତ ଜୀବନ ଜୀଇଁବା ସହ ନୃତ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ସମଗ୍ର ଜୀବନ ସମର୍ପି ଦେଇଥିଲେ। କିନ୍ତୁ କାଳର କରାଳ ଗତିରେ ଧୀରେଧୀରେ ଏହି ପରମ୍ପରା ନିଶ୍ଚିହ୍ନ ହୋଇଗଲା। ବିଧି ଅନୁସାରେ ଛୋଟ ବୟସରୁ ହିଁ ମହାପ୍ରଭୁଙ୍କ ପାଖରେ ଶିଶୁ କନ୍ୟାଙ୍କୁ ସମର୍ପଣର ଶିକ୍ଷା ଦିଆଯାଉଥିଲା। ପରେ ସେମାନେ ମହାପ୍ରଭୁଙ୍କ ପାଖରେ ତାଙ୍କୁ ସ୍ୱାମୀ ଭାବ ରଖି ସମର୍ପିତ ହେଉଥିଲେ। ହେଲେ ଏହି ସେବାର ଶେଷ ସନ୍ତକ ଶଶିମଣି ଆଉ ନାହାନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ ଶ୍ରୀମନ୍ଦିରରୁ ଏହି ସେବା ବନ୍ଦ ହୋଇଯାଇଛି। ଗବେଷକଙ୍କ ମତ ଅନୁଯାୟୀ ବୟସାଧିକ ଯୋଗୁଁ ଏହି ସେବାରେ ମାହାରୀ ମାନେ ଅନୁପସ୍ଥିତ ରହିବା ଏବଂ ସେମାନେ ଉତ୍ତରାଧିକାରୀ ଗ୍ରହଣ ନକରିବା ଏହି ସେବା ବନ୍ଦର କାରଣ ହୋଇପାରେ। ମାତ୍ର କଳା ଠାକୁରଙ୍କ ଏହି ସେବାରେ ଶ୍ରଦ୍ଧା ଓ ଓଡ଼ିଆ ସଂସ୍କୃତିର ପ୍ରମୁଖ ଅଙ୍ଗ ହୋଇଥିବାରୁ ଏହି ସେବାକୁ ଆଉଥରେ ଆରମ୍ଭ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଅନ୍ୟପଟେ ମାହାରୀ ମାନେ କେବଳ ଭିତର ସେବା କରୁଥିଲେ ତାହା ନୁହେଁ,,, ଦାରୁବିଗ୍ରହ ନିର୍ମାଣ ସମୟରେ କୋଇଲି ବୈକୁଣ୍ଠ ନିକଟରେ ଉପାସନା କରୁଥିଲେ। ସେହିପରି ନିଳାଦ୍ରୀବିଜେ ସମୟରେ ଲକ୍ଷ୍ମୀନାରାୟଣ କଳିରେ ଲକ୍ଷ୍ମୀଙ୍କ ପକ୍ଷ ନେଉଥିଲେ। ମାହାରୀ ନୃତ୍ୟରୁ ଗୋଟିପୁଅ ନୃତ୍ୟ ଓ ତାପରେ ଓଡିଶୀ ନୃତ୍ୟ ସୃଷ୍ଟି ହୋଇଥିଵା ସଂସ୍କୃତି ଗବେଷକ ମାନେ ମତ ଦିଅନ୍ତି। କିଛିବର୍ଷ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ ଏବଂ ଏହି ସେବା ପାଇଁ ଅନେକ ଦରଖାସ୍ତ ମଧ୍ୟ ଆସିଥିବା କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ମାତ୍ର ବିଧି ପରମ୍ପରା ମୁତାବକ କେହି ଜଣେ ବି ଉପଯୁକ୍ତ ନହେବାରୁ ଏଵେ ଏହି ସେବା ବିଲୁପ୍ତ ହୋଇ ରହିଛି। ତେଣୁ ଏହି ସେବା ପୁର୍ନବାର ଆରମ୍ଭ କରିବାକୁ ହେଲେ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।