ବିଧାନସଭା ସମୟରେ ସଚିବଙ୍କୁ ବିଦେଶ ମନା
ବିଧାନସଭା ସମୟରେ ସଚିବଙ୍କୁ ବିଦେଶ ମନା
admin
Jun 21, 2019 - 04:58
Updated: Jun 21, 2019 - 04:58
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଚାଲିବା ପର୍ଯ୍ୟନ୍ତ ବିଭାଗୀୟ ସଚିବମାନେ ଉପସ୍ଥିତ ରହିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଜାରି କରିଛନ୍ତି । ବିଧାନସଭା ସମ୍ପର୍କିତ ସମସ୍ତ କାର୍ଯ୍ୟ, ପ୍ରଶ୍ନୋତ୍ତର ଓ ତଥ୍ୟ ଯେପରି ଠିକ୍ ସମୟରେ ପ୍ରଦାନ କରାଯାଇ ପାରିବ ସେଥିପାଇଁ ସଚିବମାନେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ତେଣୁ ଏହି ସମୟରେ ବିଭାଗୀୟ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବା ସହ ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ସଚିବମାନଙ୍କ ଗସ୍ତ ନେଇ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲେ ବି ତାହାକୁ ଘୁଞ୍ଚାଇ ଦିଆଯିବ । ଏହା ସହିତ ସଦରମହକୁମା କିମ୍ବା ସଚିବାଳୟ ସ୍ତରରେ ସଭା ମଧ୍ୟ ଆୟୋଜନ କରାଯିବ ନାହିଁ । ଆବଶ୍ୟକ ପଡ଼ିଲେ ସଭା ବଦଳରେ ଭିଡ଼ିଓ କନଫରେନ୍ସିଂର ସହାୟତା ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ଚାଲୁଥିବା ସମୟରେ ବିଧାୟକମାନେ ଅଧ୍ୟକ୍ଷ ଥିବା କମିଟି କିମ୍ବା ସଦସ୍ୟ ଥିବା ବୋର୍ଡର ସଭା ଏହି ସମୟ ମଧ୍ୟରେ ଆହୂତ ନ କରିବାକୁ ଅଧସ୍ତନ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏହା ସହ ଅଧିବେଶନ ଚାଲୁଥିବା ସମୟରେ ପ୍ରକାଶିତ ପ୍ରମୁଖ ଖବର ଗୁଡ଼ିକୁ ଅନୁଧ୍ୟାନ କରାଯାଇ ସଠିକ ସ୍ଥିତାବସ୍ଥାର ବିବରଣୀ ଓ ତାହାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ।